**ଝଙ୍କଡ଼ ସାରଳାପୀଠରେ ଶ୍ରୀମଦ୍ ଭାଗବତ ମହୋତ୍ସବ ଉଦ୍ଯାପିତ*-
ଭଗବତ ପ୍ରେମୀଙ୍କ ଉପସ୍ଥିତିରେ ଭକ୍ତିମୟ ପରିବେଶ
ତିର୍ତୋଲ,(ନିପ୍ର): ଝଙ୍କଡ଼ ସାରଳାପୀଠରେ ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ତ୍ରୟୋଦଶବାର୍ଷିକ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ମହୋତ୍ସବ ବୁଧବାର ବିଳମ୍ବିତ ରାତ୍ରିରେ ଭକ୍ତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦ୍ଯାପିତ ହୋଇଯାଇଛି। ଶ୍ରୀ ଜଗନ୍ନାଥ ଚାରିଟେବ୍ଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବର ପୂର୍ଣ୍ଣାହୁତି ଅବସରରେ ସାରଳାପୀଠରେ ଦିନତମାମ ବିଭିନ୍ନ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହୋଇଥିଲା।
ପ୍ରାତଃ ସମୟରେ ମାଆଙ୍କ ମାର୍ଜନା ପରେ ମନ୍ଦିର ବେଢ଼ାରେ ବିଶ୍ୱକଲ୍ୟାଣ ଯଜ୍ଞ ଆୟୋଜିତ ହୋଇଥିଲା। ‘ଓଁ ନମଃ ଭଗବତେ ବାସୁଦେବାୟ’ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଯଜ୍ଞରେ ଆହୁତି ପ୍ରଦାନ କରାଯାଇଥିବା ବେଳେ ଅପରାହ୍ନ ୪ଟାରେ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା।
ସନ୍ଧ୍ୟାଆରତୀ ଦର୍ଶନ ପରେ ଘଣ୍ଟ, ଘଣ୍ଟା, କାହାଳୀ, ହରିବୋଲ ଓ ହୁଳହୁଳି ଧ୍ୱନିରେ ଜ୍ୟୋତି ପରିକ୍ରମା କରାଯାଇଥିଲା। ଏହାପରେ ମଣ୍ଡପରେ ଶ୍ରୀଜୀଉମାନଙ୍କ ଆରତୀ ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା।
ଏହି ଅବସରରେ ଅନୁଷ୍ଠାନର ମାର୍ଗଦର୍ଶକ ତଥା ଧାରାବାହିକ ପ୍ରବକ୍ତା ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ମୁଖ୍ୟ ପୂଜକ ରଞ୍ଜନ କୁମାର ପଣ୍ଡା, ବରିଷ୍ଠ ସେବାୟତ ଲକ୍ଷ୍ମୀଧର ମହାପାତ୍ର, ଅନୁଷ୍ଠାନର ସଭାପତି ଇଂ. ବିଷ୍ଣୁଚରଣ ସ୍ୱାଇଁ, ସମ୍ପାଦକ କ୍ଷୀରୋଦ କୁମାର ରାଉଳ, କୋଷାଧ୍ୟକ୍ଷ ବିଶ୍ୱରଞ୍ଜନ ରାଉଳଙ୍କ ସମେତ ହରେକୃଷ୍ଣ ରାଉଳ, ରମେଶଚନ୍ଦ୍ର ରାଉଳ, ହରେକୃଷ୍ଣ ନାୟକ, ମିହିର କୁମାର ନାୟକ, ତ୍ରିଲୋଚନ ରାଉଳ, ବିଳାସଚନ୍ଦ୍ର ବେହେରା ଓ ସତ୍ୟଭୂଷଣ ଦାସ ପ୍ରମୁଖ ମଞ୍ଚାସୀନ ହୋଇ ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଚୌଦ୍ୱାର ଜଗନ୍ନାଥ ଭକ୍ତସମାଜର ସମ୍ପାଦକ ଶରତ କୁମାର ଖୁଣ୍ଟିଆ ଓ ସଙ୍ଗଠନ ସମ୍ପାଦକ ନାରାୟଣ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ।
ପ୍ରାରମ୍ଭରେ ମୁନିବାବା ବଜ୍ରଗମ୍ଭୀର ସ୍ୱରରେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ପଣ୍ଡିତ ବିଷ୍ଣୁଚରଣ ପାଢ଼ୀ ଓ ପଣ୍ଡିତ ଦେବଦତ୍ତ ଦାଶ ପୂଜାର୍ଚ୍ଚନା ଓ ଅନ୍ୟାନ୍ୟ ସେବାକାର୍ଯ୍ୟ ସମ୍ପାଦନ କରିଥିଲେ।
ଏହି ଅବସରରେ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଭଗବାନଙ୍କ ଦିବ୍ୟ ରାସଲୀଳା ସମ୍ପର୍କରେ ପ୍ରବଚନ ଦେବା ସହ ବିଭିନ୍ନ ପୁରାଣ, ବେଦ-ବେଦାନ୍ତ, ଉପନିଷଦ, ଲୋକକଥା ଓ ପ୍ରାଚୀନ କାବ୍ୟକବିତାର ଉଦାହରଣ ଦେଇଥିଲେ। ମାନବ ସମାଜରେ ସଂସ୍କାର, ଶାନ୍ତି, ମୈତ୍ରୀ ଓ ସଂହତି ସ୍ଥାପନର ଆବଶ୍ୟକତା ଉପରେ ତାଙ୍କ ଦିବ୍ୟବାଣୀ ଉପସ୍ଥିତ ଭଗବତପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ପ୍ରବଚନର ବିଷୟବସ୍ତୁ ଆଧାରିତ ନାଟ୍ୟରୂପ ପ୍ରଦର୍ଶନ ଭକ୍ତିମୟ ପରିବେଶକୁ ଆହୁରି ଆକର୍ଷଣୀୟ କରିଥିଲା।
ସମଗ୍ର କାର୍ଯ୍ୟକ୍ରମକୁ ନୃସିଂହ ଚରଣ ରାଉଳ, ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ (ବୁଲୁନନା), ଗୋପାଳ ଚରଣ ଖଟୁଆ, ସୌଦାମିନୀ ପାତ୍ର, ମାନସ ମହାନ୍ତି, ପ୍ରୀତମ ମହାନ୍ତି, ରାଜା କୁଅଁରଙ୍କ ସମେତ ସମସ୍ତ ସେବାୟତ ଓ ଅଞ୍ଚଳବାସୀ ସକ୍ରିୟ ସହଯୋଗ କରି ପରିଚାଳନା କରିଥିଲେ।
