**କୃଷକ-ବୈଜ୍ଞାନିକ ଆଲୋଚନାଚକ୍ର ଅନୁଷ୍ଠିତ**
୪ ବ୍ଲକ୍ର ୨୫ ଆଗଧାଡ଼ିର ଚାଷୀ ନେଲେ ଅଂଶଗ୍ରହଣ
ତିର୍ତ୍ତୋଲ, (ନିପ୍ର): କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଆନୁକୂଲ୍ୟରେ ତିର୍ତ୍ତୋଲ ବ୍ଲକ୍ ନିମକଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଦୁଇଦିନିଆ କୃଷକ-ବୈଜ୍ଞାନିକ ଆଲୋଚନାଚକ୍ର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କୃଷି ବିଭାଗର ‘ଆତ୍ମା’ ପ୍ରକଳ୍ପ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ, ରଘୁନାଥପୁର, କୁଜଙ୍ଗ ଓ ଏରସମା ବ୍ଲକ୍ରୁ ୨୫ ଜଣ ଆଗଧାଡ଼ିର ଚାଷୀ ଯୋଗଦେଇଥିଲେ।
ପ୍ରଥମ ଦିନ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ଜୀବନଜିତ ସେନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଏହାର ଉଦ୍ଦେଶ୍ୟ ଓ ଚାଷୀମାନଙ୍କ ପାଇଁ ଏଭଳି ଆଲୋଚନାଚକ୍ରର ଗୁରୁତ୍ୱ ସମ୍ପର୍କରେ ବୁଝାଇଥିଲେ।
ପ୍ରଥମ ଭାଗରେ ମୃତ୍ତିକା ବୈଜ୍ଞାନିକ ଡ. ପ୍ରଦୀପ୍ତ କୁମାର ମାଝୀ ଫସଲରେ ସମନ୍ୱିତ ଖାଦ୍ୟ ପରିଚାଳନା ସମ୍ପର୍କରେ ଚାଷୀମାନଙ୍କୁ ତାଲିମ ଦେଇଥିଲେ। ରୋଗପୋକ ବୈଜ୍ଞାନିକ ଦେବାଶିଷ ପଣ୍ଡା ବିଭିନ୍ନ ଫସଲରେ ଦେଖାଦେଉଥିବା ରୋଗପୋକ ସମସ୍ୟା, ଏହାର ନିରାକରଣ ଏବଂ ଆଧୁନିକ ପ୍ରଣାଳୀରେ ରୋଗପୋକ ନିୟନ୍ତ୍ରଣ ସମ୍ପର୍କରେ ଆଲୋକପାତ କରିଥିଲେ।
ଦ୍ୱିତୀୟ ଭାଗରେ ମତ୍ସ୍ୟ ବିଶେଷଜ୍ଞ ସରିତା ଦାସ ମାଛ ଚାଷରେ ଉନ୍ନତ ବୈଜ୍ଞାନିକ ପ୍ରଣାଳୀ ସମ୍ପର୍କରେ ଚାଷୀମାନଙ୍କୁ ଜ୍ଞାନ ପ୍ରଦାନ କରିଥିଲେ। ଶେଷ ଭାଗରେ ପ୍ରାଣୀ ବୈଜ୍ଞାନିକ ଡ. ତପନ କୁମାର ପଲାଇ ଗୋପାଳନ ଓ କୁକୁଡ଼ା ପାଳନ ସମୟରେ ଦେଖାଦେଉଥିବା ସମସ୍ୟା ଏବଂ ଏହାର ବୈଜ୍ଞାନିକ ସମାଧାନ ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ।
ଦ୍ୱିତୀୟ ଦିନରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଭୁଦତ୍ତ ସାହୁ ଯୋଗଦେଇ ଚାଷୀମାନଙ୍କ ସହ ବିଭିନ୍ନ କୃଷି ସମସ୍ୟା ଉପରେ ଆଲୋଚନା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର କ୍ଷେତ୍ର ପରିଚାଳକ ମଣ୍ଟୁ ଚୌଧୁରୀ ଧାନ ଓ ପନିପରିବା ଚାଷରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ବିଷୟରେ ଆଲୋକପାତ କରିଥିଲେ। ଗୃହ ବିଜ୍ଞାନୀ ସସ୍ମିତା ପୁରୋହିତ ଲାଭଜନକ ଛତୁ ଚାଷ ସମ୍ପର୍କରେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ଅଧିକାରୀ ସ୍ୱାଗତିକା ମିଶ୍ର ଓ ସ୍ୱରାଜ କୁମାର ବେହେରା ଅଂଶଗ୍ରହଣ କରିଥିଲେ। ଯୋଗଦେଇଥିବା ସମସ୍ତ ଚାଷୀଙ୍କୁ କୃଷି ସମ୍ବନ୍ଧୀୟ ବିଭିନ୍ନ ବୈଷୟିକ ପୁସ୍ତିକା ପ୍ରଦାନ କରାଯାଇଥିଲା।
ଶେଷ ପର୍ଯ୍ୟାୟରେ ଚାଷୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ନିଜ ନିଜ ଚାଷର ଅଭିଜ୍ଞତା ବାଣ୍ଟିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଜ୍ଞାନିକମାନଙ୍କଠାରୁ ପରାମର୍ଶ ନେଇଥିଲେ। ପରେ କୃଷି ବିଜ୍ଞାନ କେନ୍ଦ୍ରର ବିଭିନ୍ନ ପ୍ରୟୋଗଶାଳା ଓ ପ୍ରଦର୍ଶନୀ କ୍ଷେତ୍ର ପରିଦର୍ଶନ କରି ଚାଷୀମାନେ ବୈଜ୍ଞାନିକ ପ୍ରଣାଳୀରେ ଚାଷ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିଥିଲେ।
