ଶ୍ରାବଣ ଦ୍ୱିତୀୟ ସୋମବାରରେ ବୋଲବମ୍ ଭକ୍ତଙ୍କ ପାଇଁ ଅନ୍ନପ୍ରସାଦ, ବୃକ୍ଷରୋପଣ କଲା ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ
ଢେଙ୍କାନାଳ: ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ନାତିଡ଼ି ଗ୍ରାମର ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପକ୍ଷରୁ ଏକ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଢେଙ୍କାନାଳ ଜିଲ୍ଲା ନାଧରାସ୍ଥିତ ଶ୍ରୀ ଗୋକର୍ଣ୍ଣେଶ୍ୱର ଶିବ ମନ୍ଦିରଠାରେ ଫାଉଣ୍ଡେସନ ପରିବାର ପକ୍ଷରୁ ପଞ୍ଚମ ବର୍ଷ ପାଇଁ ବୋଲବମ୍ ଭକ୍ତମାନଙ୍କ ନିମନ୍ତେ ଅନ୍ନପ୍ରସାଦ ବଣ୍ଟନ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।
ଅନୁଷ୍ଠାନର ପ୍ରତିଷ୍ଠାତା ସରୋଜ କୁମାର ସାହୁ, ଦିଲ୍ଲୀପ କୁମାର ସାହୁ, ସୌମ୍ୟରଞ୍ଜନ ସାହୁ ଓ ସଂଗ୍ରାମ ବାରିକଙ୍କ ତତ୍ତ୍ୱାବଧାନରେ ଏହି ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏଥିରେ ଅନୁଷ୍ଠାନର ସଦସ୍ୟ ଶିବ ସୁନ୍ଦର କର, ଅକ୍ଷୟ କୁମାର ଦେବତା, ଅଜୟ ସାମଲ, ପ୍ରଦ୍ୟୁମ୍ନ ସାହୁ, ଦିପୁଲି ସାହୁ, କାହ୍ନା ବେହେରା, ଚନ୍ଦ୍ରକାନ୍ତ ପ୍ରଧାନ, ଅଭି ସାହୁ, ସାଇ କ୍ରିଷ୍ଣା ସାହୁ, ଅମୂଲ୍ୟ ମାଝୀ, ଦୀପକ ଅଗ୍ରୱାଲ, ପ୍ରଦୀପ୍ତ ସାହୁ, ମୋହନ ମୁନିଙ୍କ ସମେତ ନାତିଡ଼ି ଶିବସେନା ଓ ନାଧରା ଗ୍ରାମବାସୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଅନ୍ନପ୍ରସାଦ ବଣ୍ଟନ ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ବୃକ୍ଷରୋପଣ କରାଯାଇଥିବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ ଅନୁଷ୍ଠାନର ଏହି ପ୍ରୟାସକୁ ପ୍ରଶଂସା କରାଯାଇଥିଲା।
ଏନେଇ ଅନୁଷ୍ଠାନର ପ୍ରତିଷ୍ଠାତା ସରୋଜ କୁମାର ସାହୁ କହିଛନ୍ତି, “ମହାଦେବଙ୍କ ଆଶୀର୍ବାଦରେ ପଞ୍ଚମ ବର୍ଷର ଏହି ସେବା କାର୍ଯ୍ୟକ୍ରମ ସଫଳ ହୋଇଛି। ଆଗାମୀ ଦିନରେ ମଧ୍ୟ ପ୍ରତ୍ୟେକ ବର୍ଷ ଏଭଳି ସେବାମୂଳକ କାର୍ଯ୍ୟ ଜାରି ରହିବ।”
ସେବା, ଭକ୍ତି ଓ ପରିବେଶ ସୁରକ୍ଷାକୁ ଏକାଠି କରି ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନର ଏହି ପ୍ରୟାସ ନିଶ୍ଚିତ ଭାବେ ଏକ ସୁନ୍ଦର ସାମାଜିକ ବାର୍ତ୍ତା ଦେଇଛି।
