**ରାହାମାରେ ହୋଟେଲ ନିକଟ ପରିତ୍ୟକ୍ତ ଘରେ ସେକ୍ସ ରାକେଟ ଠାବ*-
୩ ମହିଳାଙ୍କ ସମେତ ୨ ଜଣ ଗିରଫ, ୭ ମୋବାଇଲ ଓ ନଗଦ ଟଙ୍କା ଜବତ
ତିର୍ତ୍ତୋଲ, ୮/୮ (ନିପ୍ର): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ରାହାମା ବଜାରରେ ଏକ ପରିତ୍ୟକ୍ତ ଘରେ ଚାଲିଥିବା ଅଭିଯୋଗିତ ଦେହ ବ୍ୟବସାୟ ରାକେଟ ଉପରେ ପୋଲିସ ଚଢ଼ାଉ କରିଛି। ‘ଅପରେସନ ଆଶା ଜ୍ୟୋତି’ ଅଭିଯାନରେ ଏହି ଚଢ଼ାଉ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ରାହାମା ମାର୍କେଟର ହୋଟେଲ ରାଣୀ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ନେଇ ବିଶ୍ୱସନୀୟ ସୂଚନା ମିଳିଥିଲା। ଏହାପରେ ତିର୍ତ୍ତୋଲ ପୋଲିସ ଟିମ୍ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ, ସ୍ୱାଧୀନ ସାକ୍ଷୀ ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ।
ଏହି ଘଟଣାରେ ପୋଲିସ ୩ ଜଣ ମହିଳା ଏବଂ ଜଣେ ପୁରୁଷଙ୍କୁ ଧରି ପଚରାଉଚରା କରିଥିବା ସୂଚନା ମିଳିଛି। ପୋଲିସ ତଦନ୍ତରେ ରାକେଟ ଚଳାଇବାରେ ସମ୍ପୃକ୍ତି ଅଭିଯୋଗରେ ଜଣେ ମହିଳା ଓ ଘର ମାଲିକଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ମହିଳାମାନଙ୍କୁ ଉଦ୍ଧାର କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।
ଚଢ଼ାଉ ସମୟରେ ପୋଲିସ ୭ଟି ମୋବାଇଲ ଫୋନ୍, ନଗଦ ୩,୨୨୦ ଟଙ୍କା, ୫ ପ୍ୟାକେଟ କଣ୍ଡୋମ୍ ସମେତ ଲିପଷ୍ଟିକ, ପାଉଡର, ତେଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।
ପୋଲିସ ଅନୁଯାୟୀ, ଘଟଣାରେ ତିର୍ତ୍ତୋଲ ଥାନାରେ କେସ୍ ନମ୍ବର ୩୭୦, ତାରିଖ ୮/୮/୨୦୨୬ରେ ଅନୈତିକ ଯାତାୟାତ (ପ୍ରତିରୋଧ) ଆଇନ, ୧୯୫୬ର ବିଭିନ୍ନ ଧାରା ସହ ବିଏନ୍ଏସ୍ର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ପୋଲିସ ତଦନ୍ତରେ ଏହି ରାକେଟ କିପରି ଚାଲୁଥିଲା ଏବଂ ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ଖୋଳତାଡ଼ ଚାଲିଛି। ଧରାପଡ଼ିଥିବା ବ୍ୟକ୍ତିମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।
ଏହି ଚଢ଼ାଉରେ ତିର୍ତ୍ତୋଲ ପୋଲିସ ସହ ରାହାମା ବଜାର କମିଟିର ସହଯୋଗ ରହିଥିବା ଏସ୍ଡିପିଓ ଅଜୟ କୁମାର ଦାଶ ସୂଚନା ଦେଇଛନ୍ତି।
