ଝାରପୋଖରିଆ ଠାରୁ ଶୀର୍ଷା ଆର.ଡ଼ି. ରାସ୍ତାର ଶୋଚ଼ନୀୟ ଅବସ୍ଥା
___________________
ସାରସକଣା,(୫/୮/୨୬):(ନି.ପ୍ର):
ଓଡ଼ିଶା ରାଜ୍ୟର ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକରେ ହେଉ ଥିବା ସରକାରଙ୍କ ବିକାଶ ଧାରାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି । କିଛି ମାସ ହେଲା ସରକାରଙ୍କ ତରଫରୁ “ବିକାଶ ଧାରା ଓଡ଼ିଶା ସାରା” ସଫଳତାର ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛନ୍ତି ।ଏହି ସଫଳତାର ଶ୍ରେୟ ପାଳନ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକକୁ ଝାରପୋଖରିଆ ଠାରୁ ଭାୟା ଶୀର୍ଷା ଦେଇ ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ନଗ୍ନ ଚିତ୍ର ବିକାଶ ଧାରାର ସଫଳତାକୁ ଆଜି ପଦାରେ ପକାଇ ଦେଇଛି। ରାଜ୍ୟ ସରକାର ଚତୁର୍ଦ୍ଦିଗରେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ, ଗାଁ ଗାଁକୁ ପକ୍କା ରାସ୍ତା ନିର୍ମାଣ ନାରା କେବଳ କାଗଜ ପତ୍ରରେ ସୀମିତ ବୋଲି ଜଣାଯାଏ । ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ଆର.ଡ଼ି. ରାସ୍ତା ଝାରପୋଖରିଆ ଠାରୁ ଶୀର୍ଷା ଦେଇ ବଙ୍ଗଳା ଛକ ପର୍ଯ୍ୟନ୍ତ ସଂଯୋଗୀକରଣ ହୋଇ ସାରସକଣା ପର୍ଯ୍ୟନ୍ତ ଯାଇଛି। ଏହି ଆର.ଡ଼ି. ରାସ୍ତାଟି ଝାରପୋଖରିଆ ଠାରୁ ବଙ୍ଗଳା ଛକ ୭.୫୮୦ କି.ମି. ପର୍ଯ୍ୟନ୍ତ ଦୁଇ ମାସ ପୂର୍ବରୁ ନୂତନ ଭାବେ ୮ କୋଟି ୩୫ ଲକ୍ଷ୍ୟରୁ ଉର୍ଦ୍ଧ୍ଵ ଟଙ୍କାର ଅଟକଳରେ ରାସ୍ତା ନିର୍ମାଣ ହୋଇଥିଲା । ରାସ୍ତାର କାର୍ଯ୍ୟ ପାଇଁ ବାରିପଦା ଠିକାଦାର ଜିତେଶ ରଞ୍ଜନ ବେହେରା ନେଇଥିଲେ । କିନ୍ତୁ ଉକ୍ତ କାର୍ଯ୍ୟଟିକୁ ଅନ୍ୟ କିଏ ଦୁଇ ଜଣ ଠିକାଦାର ଦୁଇ ଭାଗରେ ଭାଗ କରି ରାସ୍ତାର କାର୍ଯ୍ୟକୁ କରିଥିଲେ । ରାସ୍ତାଟିର କାର୍ଯ୍ୟ ୨୫/୯/୨୫ ଠାରୁ ଆରମ୍ଭ ହୋଇ ୨୪/୯/୨୬ ତାରିଖ ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ସମୟ ଧାର୍ଯ୍ୟ ହୋଇଛି । ତା’ ମାନେ ଏଇ ଆସନ୍ତା ସେପ୍ଟେମ୍ବର ମାସରେ ରାସ୍ତାଟିର କାର୍ଯ୍ୟ ସରିବ । କିନ୍ତୁ ଗତ ମାସ ରାସ୍ତାର କାର୍ଯ୍ୟ ସରିଯାଇଛି । ହେଲେ ଆଜିର ଦିନରେ ଉକ୍ତ ଆର.ଡ଼ି. ରାସ୍ତାଟିର କାର୍ଯ୍ୟର କାର୍ଯ୍ୟପ୍ରଣାଳୀ କେତେ ଭଲ ତାହା ଆଜି ରାସ୍ତା ଉପର ଦେଇ ଗଲେ ଜଣାପଡ଼ିବ । ରାସ୍ତାର ପିଚୁ ଉଠିଯାଇ ରାସ୍ତା ଉପରେ ଚ଼ିପସ୍ ଗୁଡ଼ିକ ବିଛେଇ ହୋଇ ପଡ଼ିଛି। ବିଭିନ୍ନ ସ୍ଥାନରେ ରାସ୍ତା ଦବିବା ସହିତ ରାସ୍ତା ଫାଟି ଗଲାଣି। ରାସ୍ତାର ବିଭିନ୍ନ ଜାଗାରେ ଖୋଳି କରି ନୂତନ ଭାବେ ପଥର ଗୁଣ୍ଡ ସହିତ ମେଟାଲ ମିଶାଇ ଫେଚ଼ିଙ୍ଗ୍ କାମ କରାଯାଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଠିକାଦାର ଅଧିକ ଲାଭ ଆଶାରେ ଏଭଳି ନିମ୍ନମାନର କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । “ଦୀପ ତଳ ଅନ୍ଧାର” ଏ ଉକ୍ତି ଟି ଠିକ୍ ବୁଝାଉଛି, କାହିଁକି ନା ସାରସକଣା ବ୍ଲକର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତାର ତଦାରଖ ପାଇଁ ନିଯୁକ୍ତ ଜେ.ଇ କ’ଣ କରୁଥିଲେ, ତାହା ଏକ ପ୍ରଶ୍ନବାଚୀ ? ତା ଛଡା ଉକ୍ତ ରାସ୍ତା ଦେଇ ବ୍ଲକର ଅଧିକାରୀଗଣ ଯିବା ଆସିବା କରୁଥିବା ବେଳେ ରାସ୍ତାର କାର୍ଯ୍ୟ କିପରି ସେମାନଙ୍କର ନଜରକୁ ଆସିଲା ନାହିଁ, ତାହା ବି ଏକ ପ୍ରଶ୍ନବାଚୀ ହୋଇ ରହିଛି । ଉକ୍ତ ରାସ୍ତାଟିର ନିର୍ମାଣ କାର୍ଯ୍ୟର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଦାବି କରିଛନ୍ତି ।ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର।
