ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ–୨୦୨୬ ପାଳନ ପାଇଁ ପ୍ରସ୍ତୁତି ବୈଠକ
ବାଲେଶ୍ୱର, ତାରିଖ: ୦୩ ଅଗଷ୍ଟ, ୨୦୨୬ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଜିଲ୍ଲା ସ୍ତରରେ ପାଳନ ହେବାକୁ ଥିବା ୮୦ ତମ ସ୍ୱାଧୀନତା ଦିବସ–୨୦୨୬କୁ ସୁଚାରୁ, ସୁରକ୍ଷିତ, ଶୃଙ୍ଖଳିତ ଓ ଗରିମାମୟ ଭାବରେ ପାଳନ କରିବା ନିମନ୍ତେ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ ସଭାକକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଅଧ୍ୟକ୍ଷତା କରିଥିଲେ। ବାଲେଶ୍ୱର ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାଧୀନତା ଦିବସ ପାଳନର ଐତିହାସିକ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ସମସ୍ତ ବିଭାଗକୁ ପାରସ୍ପରିକ ସମନ୍ୱୟ ରକ୍ଷା କରି କାର୍ଯ୍ୟ ସମ୍ପାଦନ କରିବାକୁ ଆହ୍ୱାନ ଜଣାଇଥିଲେ। ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ବାଲେଶ୍ୱର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ମଲ୍ଲିକ ଉପସ୍ଥିତ ରହିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶ୍ରୀଯୁକ୍ତ ପ୍ରବୋଧ କୁମାର ମଲ୍ଲିକ ସ୍ୱାଧୀନତା ଦିବସର ବିବରଣୀ ପଠନ କରିଥିଲେ । ସଭା ଶେଷରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ବୈଠକରେ ସମସ୍ତ ସଭ୍ୟା/ସଭ୍ୟ, ସାମାଜିକ କର୍ମୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ସମସ୍ତ ଛାପା ଓ ବୈଦ୍ୟୁତିକ ଗଣ ମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ନିଜର ମତ ରଖିଥିଲେ ।
ବୈଠକରେ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ହେବାକୁ ଥିବା ମୁଖ୍ୟ ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପତାକା ଉତ୍ତୋଳନ, ପ୍ୟାରେଡ୍, ସମ୍ମାନ ରକ୍ଷୀଙ୍କ ଅଭିବାଦନ, ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରିବା ସହ ଅନ୍ୟାନ୍ୟ ଆନୁଷ୍ଠାନିକ କାର୍ଯ୍ୟକ୍ରମର ସଫଳ ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ବର୍ଷ ବନ୍ଧୂତପୂର୍ଣ୍ଣ କ୍ରିକେଟ ଖେଳ ବଦଳରେ ଫୁଟବଲ ଖେଳ କରାଯିବାର ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଛି । ସ୍ୱାଧୀନତା ଦିବସରେ ପ୍ରତ୍ୟୁଷ ୪.୦୦ ଘଟିକା ସମୟରେ ରାମଧୂନ ପରିବେଷଣ କରାଯିବ । ସକାଳ ୯.୧୫ ଘଟିକାରେ ପୋଲିସ ପ୍ୟାରେଡ୍ ପଡ଼ିଆରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ ।
