*୨୩ ବର୍ଷର ଦେଶ ସେବା ପରେ ଗାଁକୁ ଫେରିଲେ ବୀର ଯବାନ ଅବତଲ ମାଝୀ ଉତ୍ସବମୁଖର ପରିବେଶରେ ଭବ୍ୟ ସ୍ୱାଗତ*
ନୂଆପଡ଼ା (ମିଖାଏଲ ନନ୍ଦ ):
ତା-୦୨/୦୭
ଭାରତୀୟ ସେନାରେ ଦୀର୍ଘ ୨୩ ବର୍ଷର ଗୌରବମୟ ସେବା ଶେଷ କରି ନିଜ ଜନ୍ମମାଟିକୁ ଫେରିଛନ୍ତି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ନଙ୍ଗଲ ବୋର୍ଡ଼ ଗ୍ରାମର ବୀର ଯବାନ ଅବତଲ ମାଝୀ । ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନର ଦୀର୍ଘ ସମୟ ଉତ୍ସର୍ଗ କରି ସେନା ବାହିନୀରୁ ଅବସର ନେବା ପରେ ଗାଁରେ ପହଞ୍ଚିବା କ୍ଷଣି ସେଠାରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି । ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଏକାଠି ହୋଇ ବୀର ଯବାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।ପୁଷ୍ପବୃଷ୍ଟି ଓ ଶୋଭାଯାତ୍ରାରେ କମ୍ପିଲା ଅଞ୍ଚଳଯବାନ ଅବତଲ ମାଝୀ ଗାଁ ସୀମାରେ ପହଞ୍ଚିବା ପରେ ସ୍ଥାନୀୟ ଯୁବକ ସଂଘ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ତାଙ୍କୁ ଏକ ସୁସଜ୍ଜିତ ଗାଡ଼ିରେ ବସାଇ ପାରମ୍ପରିକ ବାଦ୍ୟ, ନୃତ୍ୟ ଏବଂ ଦେଶଭକ୍ତି ସଙ୍ଗୀତର ତାଳେ ତାଳେ ଗ୍ରାମ ପରିକ୍ରମା କରାଯାଇଥିଲା । ମହିଳାମାନେ ହୁଳହୁଳି ଓ ସଙ୍କୀର୍ତ୍ତନ ସହ ତାଙ୍କୁ ଆରତୀ କରି ଗାଁକୁ ପାଛୋଟି ନେଇଥିଲେ । ଗାଁ ଦାଣ୍ଡରେ ଉପସ୍ଥିତ ଜନସାଧାରଣ “ଭାରତ ମାତା କି ଜୟ” ଏବଂ “ବୀର ଯବାନ ଅବତଲ ମାଝୀ ଅମର ରହେ” ଧ୍ୱନିରେ ସମଗ୍ର ପରିବେଶକୁ ପ୍ରକମ୍ପିତ କରିଦେଇଥିଲେ ।ଜନ୍ମମାଟି ପାଇଁ ଗୌରବଅବସରପ୍ରାପ୍ତ ଯବାନ ଅବତଲ ମାଝୀ ଦେଶର ବିଭିନ୍ନ ଦୁର୍ଗମ ଓ ସମ୍ବେଦନଶୀଳ ସୀମାନ୍ତ ଅଞ୍ଚଳରେ ନିଜର କର୍ତ୍ତବ୍ୟ ସମ୍ପାଦନ କରି ସିନାପାଲି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଏହି ସ୍ୱାଗତ ସଭାରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ କହିଛନ୍ତି ଯେ, ଅବତଲଙ୍କ ଏହି ଦୀର୍ଘ ଦେଶସେବା ଆଜିର ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣା । ନିଜ ପ୍ରତିକ୍ରିୟାରେ ଯବାନ ଅବତଲ ମାଝୀ କହିଛନ୍ତି, “ଦେଶ ସେବା କରିବା ମୋ ପାଇଁ ସବୁଠାରୁ ବଡ଼ ସୌଭାଗ୍ୟ ଥିଲା । ଆଜି ଜନ୍ମମାଟିକୁ ଫେରିବା ପରେ ଗ୍ରାମବାସୀଙ୍କ ଏଭଳି ଅକୁଣ୍ଠ ଭଲପାଇବା ଓ ସ୍ୱାଗତ ମୋତେ ଭାବବିହ୍ୱଳ କରିଦେଇଛି ।” ଏହି ସ୍ୱାଗତ ଉତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ମହିଳା, ପୁରୁଷ ଓ ଶିଶୁ ସାମିଲ ହୋଇ ଯବାନଙ୍କ ସହ ସେଲଫି ନେଉଥିବାର ଦେଖିବାକୁ ମିଳିଥିଲା ।
