ସାର ଦର ଏବେ ଆକାଶଛୁଆଁ।
(ନିପ୍ର ଗୋକୁଳାନନ୍ଦ ବେହେରା)ଢେ଼ଙ୍କାନାଳ ସଦର : ସାର ସଙ୍କଟକୁ ଦେଖି ଚଳିତବର୍ଷ ଚାଷକାର୍ଯ୍ୟ ଲାଗି ସାରର ବିକଳ୍ପ ବ୍ୟବସ୍ଥା ପାଇଁ ସରକାର ଅଣ୍ଟା ଭିଡିଥିବା ବେଳେ ସବୁଜସାର କୁହାଯାଉଥିବା ଧନିଚାର ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ତାହାକୁ ଚାଷୀମାନେ ଖୁବ୍ କମ୍ ପରିମାଣରେ ବ୍ୟବହାର କରିଛନ୍ତି। ବିଶେଷକରି ଏଥିରେ ଡିବିଟି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଓ ଠିକଣ ସମୟରେ ଚାଷୀଙ୍କ ନିକଟରେ ନହପଞ୍ଚିବାରୁ ଏହି ଜୈବିକ ସାର ବହୁଳ ପରିମାଣରେ ବ୍ୟବହାର ହୋଇପାରି ନାହିଁ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସମଗ୍ର ଦେଶରେ ଏବେ ସାର ସଙ୍କଟ ପରିଲକ୍ଷିତ ହୋଇଛି। ରାଜ୍ୟରେ ଚାଷକାର୍ଯ୍ୟ ଆରମ୍ଭହୋଇଥିବାରୁ ଚାଷୀମାନେ ଏବେ ୟୁରିଆ,ଡିଏପି,ଗ୍ରୋମୋର ଭଳି ସାର ଆବଶ୍ୟକ କରୁଛନ୍ତି। କିନ୍ତୁ ସାର ସଙ୍କଟ ଯୋଗୁଁ ବହୁ ସ୍ଥାନରେ ଏହା ଚଢା ଦରରେ ବିକ୍ରି ଆରମ୍ଭ ହୋଇଗଲାଣି। କୃଷି ବିଭାଗ ଏବେ ସାରର ବିକଳ୍ପ ବ୍ୟବସ୍ଥା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ଧନିଚା ଭଳି ସବୁଜ ସାରର ବ୍ୟବହାର ଦ୍ବାର ରସାୟନିକ ସାରର ଚାପ ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଥାଏ। ଏହା ଜମିକୁ ଉର୍ବର ରଖିବ ସହିତ ପରିବେଶ ଅନୁକୂଳ ହୋଇଥାଏ। ହେଲେ ଚଳିତବର୍ଷ ଧନିଚା କିଲେ ୧୯୧.୨୦ ଟଙ୍କାରେ ଚାଷୀମାନଙ୍କୁ କିଣିବାକୁ କୁହାଯାଇଥିଲା। ଚାଷୀମାନେ ପ୍ରଥମେ ଏହି ଦରରେ କିଣିବାପରେ ଡିବିଟି ଜରିଆରେ ସେମାନଙ୍କ ବ୍ୟାଙ୍କ୍ ଖାତାକୁ ସବସିଡ୍ ଆକାରରେ ୧୫୧.୨୦ ଫେରସ୍ତ ହୋଇଥାନ୍ତା। ଅର୍ଥାତ୍ ଚାଷୀମାନେ ଧନିଚା କିଲୋ ୪୦ ଟଙ୍କାରେ କିଣିଥାନ୍ତେ। ତେବେ ଚାଷୀମାନେ ପ୍ରଥମେ ଏତେ ଅଧିକ ଟଙ୍କା ଦେଇ କିଣିବାକୁ ରାଜି ହେଲେନାହିଁ। ଫଳରେ ଅଧିକାଂଶ ସ୍ଥାନରେ ସରକାରୀ ଦପ୍ତରରେ ଧନିଚା ମଞ୍ଜି ପଡି ରହିଲା। ରାଜ୍ୟର ଅଗ୍ରଣୀ ଚାଷୀମାନଙ୍କ ମତରେ ଦୁଇବର୍ଷ ତଳେ ସରକାର ଧନିଚା କିଲେ ୪୦ ଟଙ୍କାରେ କିଣି ଚାଷୀମାନଙ୍କୁ ଯୋଗାଉଥିଲେ। ଚଳିତବର୍ଷ ଏହାର ଦର ଏକାଥରକେ ୧୯୧ ଟଙ୍କାକୁ ଟପିଗଲା। ଏତେ ଉଚ୍ଚ ଦରରେ ଧନିଚା କିଣିବାର ବିଧିବଦ୍ଧ ତଦନ୍ତ ହେବା ଆବଶ୍ୟକ । କାରଣ ଏ ବାବଦରେ ସବସିଡ୍ ବୋଝ ଏବେ ରାଜକୋଷ ଉପରେ ପଡିବ । ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ସାଧାରଣତଃ କେତେକ ପୂର୍ବୋତ୍ତର ରାଜ୍ୟରୁ ଧନିଚା ବିହନ କିଣି ରାଜ୍ୟର ଚାଷୀମାନଙ୍କୁ ଯୋଗାଇଥାନ୍ତି। ଓଡିଶାରେ ଏବେ ସୁଦ୍ଧ। ଧନିଚା ଉତ୍ପାଦନ ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଉନଥିବାରୁ ଏ ବାବଦରେ କୋଟି କୋଟି ଟଙ୍କା ଅନ୍ୟ ରାଜ୍ୟକୁ ଯାଉଛି । ତେବେ ହଠାତ୍ କ’ଣପାଇଁ ଧନିଚାର ଦର ବିରି,ମୁଗକୁ ବଳିଗଲା ତାହାକୁ ନେଇ ଚାଷୀମାନେ ଆଶ୍ଚର୍ଯ୍ୟପ୍ରକଟ କରୁଛନ୍ତି। ସେହିଭଳି ଗାଁ ଗହଳର ଚାଷୀମାନେ ଗୋବର ଓ ଅନ୍ୟାନ୍ୟ ଜୈବିକ ଖତକୁ ସାର ଭାବେ ବ୍ୟବହାର କରିଥାନ୍ତି। ତେବେ ଏହା ରସାୟନିକ ସାରର ଅଭାବକୁ ପୂରଣ କରିବା କାଠିକର ପାଠ ହେବ । ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଧାନଚାଷ ପାଇଁ ତଳିଘେରI ପ୍ରସ୍ତୁତ ହେଉଥିବାବେଳେ ଏଥିପାଇଁ ୟୁରିଆ ସାର ଜରୁରୀ ହୋଇପଡିଛି। ଧାନ ଚାଷ ପାଇଁ ସାଧାରଣତଃ ନାଇଟ୍ରୋଜେନ, ଫସଫରସ ଓ ପଟାସିୟମ ଯୁକ୍ତ ସାର ଆବଶ୍ୟକ ହେଉଥିବାବେଳେ ଚାଷୀମାନେ କିଭଳି ଫସଲର ଆବଶ୍ୟକତାକୁ ଦେଇ ସଠିକ୍ ମାତ୍ରାରେ ତାହାକୁ ବ୍ୟବହାର କରିବେ ଏ ସଂକ୍ରାନ୍ତରେ କୃଷି ବିଭାଗ ପକ୍ଷରୁ ଅବଗତ କରାଗଲେ ସାର ବ୍ୟବହାର କିଛି ହ୍ରାସ ପାଇପାରନ୍ତା ବୋଲି ଅଗ୍ରଣୀ ଚାଷୀମାନେ ମତ ଦେଉଛନ୍ତି।
