*ରାଇରଙ୍ଗପୁରରେ ଅଭାବନୀୟ ଘଟଣା: ମେଡିକାଲରୁ ଫେରିବା ବେଳେ ଓଲଟିଲା ଛାତ୍ରୀଙ୍କ ଅଟୋ*।
*ମେଟ୍ରନଙ୍କ ସମେତ ୧୬ ଜଣ ଆହତ; ୫ ଜଣଙ୍କ ଅବସ୍ଥା ସାମାନ୍ୟ ଗୁରୁତର।*
*ଗୋଟିଏ ଅଟୋରେ ବସିଥିଲେ ୧୬ ଜଣ; ହଷ୍ଟେଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି।*
ରାଇରଙ୍ଗପୁର -:
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାତିବାରି ଜଙ୍ଗଲ ନିକଟରେ ଘଟିଛି ଏକ ଅଭାବନୀୟ ସଡ଼କ ଦୁର୍ଘଟଣା। ବିଜାତଳା ବ୍ଲକର ଜୁଡ଼ିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ଆଶ୍ରମ ସ୍କୁଲ)ର ୧୫ ଜଣ ଛାତ୍ରୀ ଅସୁସ୍ଥ ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତରଙ୍କୁ ଦେଖାଇ ସେହି ଅଟୋରେ ହଷ୍ଟେଲ ଫେରିବା ସମୟରେ ହାଣ୍ଡିଆଭାଟି ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ଦୁର୍ଘଟଣା ଫଳରେ ଅଟୋ ଚାପି ହୋଇ ହଷ୍ଟେଲ ମେଟ୍ରନ ସଞ୍ଜୁବାଳା ଗିରିଙ୍କ ସମେତ ୧୫ ଜଣ ଛାତ୍ରୀ ଆହତ ହୋଇଛନ୍ତି। କିଛି ଛାତ୍ରୀ ଓ ମେଟ୍ରନଙ୍କ ହାତ-ଗୋଡ଼ ଭାଙ୍ଗିଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ପୁଣି ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ହଷ୍ଟେଲ ଫେରାଇ ଦିଆଯାଇଛି।
ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସାମାନ୍ୟ ଗୁରୁତର ରହିଥିଲା। ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ଆବଶ୍ୟକ ସ୍ଥଳେ ପୁଣି ଚେକଅପ୍ ପାଇଁ କୁହାଯାଇଛି।
ଘଟଣା ଖବର ପାଇ ରାଇରଙ୍ଗପୁର ଉପଜିଲ୍ଲାପାଳ ଉଗ୍ରସେନ ଓରାମ ଏବଂ PA-ITDA ଜଗରଞ୍ଜନ ନାଏକ ମେଡିକାଲରେ ପହଞ୍ଚି ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି। ଏହାସହ ସ୍କୁଲର ଏସଏମସି ଅଧ୍ୟକ୍ଷ ପ୍ରଶାନ୍ତ ରାୟ ଏବଂ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ।
ଏହି ଦୁର୍ଘଟଣା ସରକାରୀ ଆଶ୍ରମ ସ୍କୁଲ କର୍ତ୍ତୃପକ୍ଷଙ୍କ ବଡ଼ ବେପରୁଆ ମନୋଭାବକୁ ପଦାରେ ପକାଇଛି। ମାତ୍ର ୪ ରୁ ୫ ଜଣ ବସିବା କ୍ଷମତା ଥିବା ଏକ ଅଟୋରେ କିପରି ୧୬ ଜଣଙ୍କୁ ବିପଦପୂର୍ଣ୍ଣ ଭାବେ ପଠାଗଲା, ସେ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କିଛି ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ଗାଡ଼ି ଭଡ଼ା ବାବଦରେ ଅଧିକ ଟଙ୍କାର ନକଲି ବିଲ୍ କରି ପାଣ୍ଠି ହଡ଼ପ କରିବା ପାଇଁ ପ୍ରାୟତଃ ଏଭଳି ନିୟମ ଉଲ୍ଲଂଘନ କରାଯାଏ।
ଘଟଣାକୁ ନେଇ ଏବେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଓ ମେଟ୍ରନଙ୍କ ମଧ୍ୟରେ ଦୋଷ ଲଦାଲଦି ଚାଲିଛି। ମେଟ୍ରନଙ୍କ କହିବା ଅନୁଯାୟୀ ପ୍ରଧାନ ଶିକ୍ଷୟିତ୍ରୀ ମୀନାକ୍ଷୀ ଗିରି ଗୋଟିଏ ଅଟୋରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ, ଯେଉଁଠି ପ୍ରଧାନ ଶିକ୍ଷୟିତ୍ରୀ ନିଜକୁ ନିର୍ଦ୍ଦୋଷ ବୋଲି କହୁଛନ୍ତି। ତେବେ PA-ITDA ଜଗରଞ୍ଜନ ନାଏକ ଏହି ଘଟଣାରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ମୟୂରଭଞ୍ଜରୁ ମୋନାଲି ସାହୁଙ୍କ ସହ ସୁନିଲ ମହାପାତ୍ରଙ୍କ ରିପର୍ଟ ଭଞ୍ଜଦୂତ ଖବର
