ସାହାରପଡାର ପୁରାତନ ବଙ୍ଗଳା ଏବେ ଭୂତକୋଠି ପାଲଟିଛି : ପୁନଃରୁଦ୍ଧାର ଦାବି ଜୋରଦାର
ସାହାରପଡା : ( କେନ୍ଦୁଝର :ନରେଶ କୁମାର ପାତ୍ର:ନି ପ୍ର)କେନ୍ଦୁଝର ଜିଲ୍ଲା ସାହାରପଡା ମୁଖ୍ୟାଳୟରେ ଅବସ୍ଥିତ ଐତିହ୍ୟବାହୀ ପୁରାତନ ବଙ୍ଗଳାଟି ଆଜି ସମ୍ପୂର୍ଣ୍ଣ ଅବହେଳାର ଶିକାର ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଯେଉଁ ବଙ୍ଗଳା ଏକଦା ସରକାରୀ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ଥିଲା, ସେହି ସ୍ଥାନ ଏବେ ଅନାବନା ଗଛ, ଲତା ଓ ଝଙ୍କାଳିଆ ଜଙ୍ଗଲରେ ଆବୃତ ହୋଇ ଭୂତକୋଠିର ଭ୍ରମ ସୃଷ୍ଟି କରୁଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପୂର୍ବରୁ ଏହି ବଙ୍ଗଳାରେ ଅସ୍ଥାୟୀ ଭାବେ ତହସିଲ କାର୍ଯ୍ୟାଳୟ ଓ ପରବର୍ତ୍ତୀ ସମୟରେ ଅଗ୍ନିଶମ ବିଭାଗର କାର୍ଯ୍ୟାଳୟ ଚାଲୁଥିଲା। ତହସିଲ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ଥିବାବେଳେ ବଙ୍ଗଳାର ମରାମତି ସହ ସମଗ୍ର ପରିସରର ନିୟମିତ ସଫେଇ କରାଯାଉଥିଲା। ପରେ ଅଗ୍ନିଶମ ବିଭାଗ ଏଠାରେ କାର୍ଯ୍ୟ କରିବା ସମୟରେ କର୍ମଚାରୀମାନେ ପରିସରକୁ କେବଳ ସ୍ୱଚ୍ଛ ରଖୁନଥିଲେ, ବରଂ କଦଳୀ, ଅମୃତଭଣ୍ଡା, ବିଭିନ୍ନ ପ୍ରଜାତିର ଫୁଲ ଗଛ ଲଗାଇବା ସହ ପନିପରିବା ଚାଷ ମଧ୍ୟ କରୁଥିଲେ। ଫଳରେ ବଙ୍ଗଳା ପରିସର ଏକ ସୁନ୍ଦର ଓ ଆକର୍ଷଣୀୟ ପରିବେଶରେ ପରିଣତ ହୋଇଥିଲା। ପରବର୍ତ୍ତୀ ସମୟରେ ତହସିଲ କାର୍ଯ୍ୟାଳୟର କିଛି କର୍ମଚାରୀ ଏଠାରେ ରହୁଥିବାରୁ ମଧ୍ୟ ପରିସରର ସ୍ୱଚ୍ଛତା ଓ ରକ୍ଷଣାବେକ୍ଷଣ ବଜାୟ ରହିଥିଲା। କିନ୍ତୁ ସମୟ ପରିବର୍ତ୍ତନ ସହ ଏହି ଐତିହ୍ୟବାହୀ ସରକାରୀ ସମ୍ପତ୍ତି ସମ୍ପୂର୍ଣ୍ଣ ଅଣଦେଖା ହୋଇଯାଇଛି। ଆଜି ଘରର କାନ୍ଥ ଭାଙ୍ଗିବାକୁ ବସିଥିବାବେଳେ ଚାରିପାଖ ଜଙ୍ଗଲରେ ପରିଣତ ହୋଇ ସୁରକ୍ଷା ଓ ସ୍ୱଚ୍ଛତା ପ୍ରତି ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି।
ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ମତରେ, ଖୋଦ ମୂଖ୍ଯ ମନ୍ତ୍ରୀଙ୍କ ଜିଲ୍ଲା ରେ ଥିବା ସାହାରପଡାର ଐତିହ୍ୟ ବହନ କରୁଥିବା ଏହି ପୁରାତନ ବଙ୍ଗଳାକୁ ସଂରକ୍ଷଣ କରି ପୁନଃରୁଦ୍ଧାର କରାଗଲେ ଏହା ସରକାରୀ କାର୍ଯ୍ୟ, ପର୍ଯ୍ୟଟନ କିମ୍ବା ଅନ୍ୟ କୌଣସି ଜନକଲ୍ୟାଣମୂଳକ କାର୍ଯ୍ୟରେ ବ୍ୟବହାର ହୋଇପାରିବ। ତେଣୁ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ବଙ୍ଗଳାର ପୁନଃରୁଦ୍ଧାର ସହ ପରିସରର ସୌନ୍ଦର୍ଯ୍ୟକରଣ କରିବାକୁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।
