ବୌଦ୍ଧରେ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ ଦାବି ଓ ଆପତ୍ତି ଶୁଣାଣି ପାଇଁ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ l
ବୌଦ୍ଧ, ତା ୧୭/୦୭
ବୌଦ୍ଧ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ କଲେକ୍ଟରେଟ୍ ସ୍ଥିତ ସଦ୍ଭାବନା ସଭାଗୃହରେ ୮୫-କଣ୍ଟାମାଳ
ବିଧାନସଭା ନିର୍ବାଚନମଣ୍ଡଳୀ ଓ ୮୬-ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO), ସହାୟକ ଅଧିକାରୀ ଏବଂ ବୈଷୟିକ କର୍ମଚାରୀଙ୍କ ପାଇଁ ପୋଷ୍ଟ-ଡ୍ରାଫ୍ଟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଉଭୟ ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ଏବଂ ଉପଜିଲ୍ଲାପାଳ ବିନୟ କୁମାର ଭୋଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରଶିକ୍ଷଣରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପରେ ଦାଖଲ ହେଉଥିବା ଦାବି ଓ ଆପତ୍ତିର ଶୁଣାଣି, ତାହାର ଯାଞ୍ଚ, ଆଇନସମ୍ମତ ପ୍ରକ୍ରିୟା ଅନୁସରଣ ଏବଂ ସଠିକ୍ ଭାବେ ନିଷ୍ପତ୍ତି ଗ୍ରହଣ ସମ୍ପର୍କରେ ବିସ୍ତୃତ ତାଲିମ ଦିଆଯାଇଥିଲା।
ସୂଚନାଯୋଗ୍ୟ ଯେ, ଖସଡ଼ା ଭୋଟର ତାଲିକା ସମ୍ପର୍କିତ ଦାବି ଓ ଆପତ୍ତି ଦାଖଲ କରିବାର ସମୟସୀମା ୦୫ ଜୁଲାଇ ୨୦୨୬ ରୁ ୦୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ରହିଛି। ସେହିପରି ଦାବି ଓ ଆପତ୍ତିର ଶୁଣାଣି ଏବଂ ନିଷ୍ପତ୍ତି ୦୫ ଜୁଲାଇ ୨୦୨୬ ରୁ ୦୨ ସେପ୍ଟେମ୍ବର ୨୦୨୬ ମଧ୍ୟରେ ସମ୍ପନ୍ନ କରାଯିବ।ପ୍ରଶିକ୍ଷଣରେ ଉଭୟ ବିଧାନସଭା ନିର୍ବାଚନମଣ୍ଡଳୀର ୧୧ ଜଣ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO) ଓ ୧୧ ଜଣ ସହାୟକ ଅଧିକାରୀଙ୍କୁ ଦାବି ଓ ଆପତ୍ତିର ଶୁଣାଣି ଏବଂ ନିଷ୍ପତ୍ତି ପ୍ରକ୍ରିୟା ସମ୍ପର୍କରେ ବ୍ୟବହାରିକ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀ (CEO), ଓଡ଼ିଶାଙ୍କ କାର୍ଯ୍ୟାଳୟ ପ୍ରସ୍ତୁତ କରିଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (SOP) ଅନୁଯାୟୀ ପ୍ରଶିକ୍ଷଣ ଦିଆଯିବା ସହିତ ବି ଏଲ ଓ ଆପ ମାଧ୍ୟମରେ ପ୍ରକ୍ରିୟାର ସିଧାସଳଖ ପ୍ରଦର୍ଶନ କରାଯାଇଥିଲା, ଯାହାଦ୍ୱାରା ଅଧିକାରୀମାନେ ସମଗ୍ର ପ୍ରକ୍ରିୟାକୁ ସ୍ପଷ୍ଟ ଭାବେ ବୁଝିପାରିଥିଲେ।ପ୍ରତ୍ୟେକ ସହାୟକ ଅଧିକାରୀଙ୍କ ଦାୟିତ୍ୱ ହେଉଛି ସମ୍ପୃକ୍ତ AEROଙ୍କୁ ଦାବି ଓ ଆପତ୍ତି ଶୁଣାଣିରେ ସହଯୋଗ କରିବା ସହିତ ସମସ୍ତ ମାମଲାର ତ୍ରୁଟିମୁକ୍ତ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଷ୍ପତ୍ତି ସୁନିଶ୍ଚିତ କରିବା।
ଭୋଟରମାନଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଦାବି ଓ ଆପତ୍ତିର ଶୁଣାଣି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଭୋଟରମାନଙ୍କୁ ଦୂରସ୍ଥ ସ୍ଥାନକୁ ଯିବାକୁ ପଡ଼ିବ ନାହିଁ ଏବଂ ନିଜ ନିକଟସ୍ଥ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସହଜରେ ଉପସ୍ଥିତ ହୋଇ ନିଜ ମାମଲାର ଶୀଘ୍ର ନିଷ୍ପତ୍ତି ପାଇପାରିବେ।ଜିଲ୍ଲାରେ ମୋଟ ୪୦,୫୦୦ ଦାବି ଓ ଆପତ୍ତି ମାମଲାର ଶୁଣାଣି ଏବଂ ନିଷ୍ପତ୍ତି କରାଯିବାକୁ ଥିବାବେଳେ, ସେଗୁଡ଼ିକର ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛ, ତ୍ରୁଟିମୁକ୍ତ ଓ ଦକ୍ଷତାର ସହିତ ନିଷ୍ପତ୍ତି ପାଇଁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଇଛି। ଆଜିର ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର ସମସ୍ତ ପ୍ରଶାସନିକ ଓ ରାଜସ୍ୱ ଅଧିକାରୀ ଓ ଡେପୁଟି କଲେକ୍ଟର ନିର୍ବାଚନ ମନସିତ ସ୍ୱରୂପ ଯୋଗଦାନ କରିଥିଲେ l
