ପଦମପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବରଗଡ :୧୭/୦୭(ନି ପ୍ର )ପଦମପୁର ଉପ-ଜିଲ୍ଲାପାଳଙ୍କ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ସରୋଜିନୀ ପ୍ରସନ୍ କୁଲ୍ଲୁଙ୍କ ଅଧ୍ୟକ୍ଷତାରେ ୮୦ତମ ଉପଖଣ୍ଡ ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନତ ପାଢୀ ସମସ୍ତଙ୍କୁ ସ୍ଵାଗତ କରିଥିବା ବେଳେ ଏହି ଜାତୀୟ ଉତ୍ସବକୁ ମହାସମାରୋହରେ ପାଳନ କରିବା ପାଇଁ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ନିଷ୍ପତ୍ତି ମୁତାବକ, ଆସନ୍ତା ଅଗଷ୍ଟ ୧୫ ତାରିଖ ପ୍ରାତଃ ୪ଟା ୩୦ ମିନିଟରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସହରରେ ରାମଧୁନ ପ୍ରସାରଣ କରାଯିବା ସହ ସ୍ଥାନୀୟ ରାଧାମାଧବ ଓ ସତ୍ୟସାଇ ସେବା ସମିତିର ସହଯୋଗରେ ପ୍ରଭାତ ଫେରୀ ବାହାରି ନଗର ପରିକ୍ରମା କରିବ। ସକାଳ ୬ଟାରୁ ୭ଟା ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ଓ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ ଏବଂ ସକାଳ ୭ଟାରୁ ୮ଟା ମଧ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ପୂର୍ବାହ୍ନ ୯ଟାରେ ସ୍ଥାନୀୟ ଆର୍.ବି. ହାଇସ୍କୁଲ ପଡିଆଠାରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ସମ୍ମିଳିତ ପ୍ୟାରେଡରୁ ଅଭିବାଦନ ଗ୍ରହଣ କରି ଜନସାଧାରଣଙ୍କୁ ଉଦବୋଧନ ଦେବେ।
ଚଳିତ ବର୍ଷ ମାର୍ଚ୍ଚପାଷ୍ଟ ପ୍ରତିଯୋଗିତାରେ ଏନସିସି, ସ୍କାଉଟ, ଗାଇଡ୍, ରେଡକ୍ରସ ଏବଂ ସିଭିଲିୟାନ ଦଳ ଅଂଶଗ୍ରହଣ କରିବେ ଏବଂ କୃତି ଦଳଗୁଡ଼ିକୁ ରନିଂ ସିଲ୍ଡ ସହ ସ୍ଥାୟୀ କପ୍ ପ୍ରଦାନ କରାଯିବ। ଏହା ସହିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ ଓ ଦେଶାତ୍ମବୋଧକ କଣ୍ଠ ସଂଗୀତ ପ୍ରତିଯୋଗିତା ଆସନ୍ତା ଅଗଷ୍ଟ ୩ ତାରିଖରୁ ୫ ତାରିଖ ମଧ୍ୟରେ ଆୟୋଜନ କରାଯିବ। ବିଭିନ୍ନ ବୋର୍ଡ ପରୀକ୍ଷା (NRTS, HSC, CBSE) ରେ ଉପଖଣ୍ଡ ସ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା କୃତି ଛାତ୍ରଛାତ୍ରୀ ଏବଂ ନିଃସ୍ୱାର୍ଥପର ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ତଥା କଳାକାରମାନଙ୍କୁ ସ୍ମାରକୀ ଟ୍ରଫି ଦ୍ଵାରା ସମ୍ମାନୀତ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି।
ଅନ୍ୟପକ୍ଷରେ, ଉତ୍ସବ ଦିନ ଅପରାହ୍ନ ୩ଟାରେ ଆର୍.ବି. ହାଇସ୍କୁଲ ଖେଳପଡିଆଠାରେ ଏକ ବନ୍ଧୁତ୍ଵପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅନାଥାଶ୍ରମ, କୁଷ୍ଠାଶ୍ରମ ଓ ଜେଲର ଅନ୍ତେବାସୀମାନଙ୍କୁ ବିସ୍କୁଟ ଏବଂ ଉପଖଣ୍ଡ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯିବ। କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା (ଷ୍ଟାଣ୍ଡିଂ) କମିଟୀ ଗଠନ କରାଯାଇଛି। ପରିଶେଷରେ ଡେପୁଟି କଲେକ୍ଟର ଭବାନୀ ଶଙ୍କର ମହନ୍ତ ସମସ୍ତ ସଦସ୍ୟଙ୍କ ଆକୁଣ୍ଠ ସାହାଯ୍ୟ ଓ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ କରିଥିଲେ।
