ତଳନଗରରେ ବନ୍ୟା ପରିସ୍ଥତି
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋର ବ୍ଲକ ତଳନଗର ପଞ୍ଚାୟତରେ ବନ୍ୟା ପରିସ୍ଥତି ଉପୁଜିଛି। ଲୋକେ ଜଳବନ୍ଦି ଅବସ୍ଥାରେ ତିନିଦିନ ଧରି ରହିଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ସେମାନଙ୍କ ନିକଟରେ ପହଞ୍ଚିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। କାଂଶବାଂଶ ନଦୀକୂଳରେ ଅବସ୍ଥିତ ଏହି ପଞ୍ଚାୟତର ବାସିନ୍ଦା ପ୍ରତିବର୍ଷ ଏହି ସମସ୍ୟାକୁ ସମ୍ମୁଖିନ ହେଉଥିବା ବେଳେ ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଗତ ତିନିଦିନ ଧରି ଲଗାଣ ବର୍ଷା କାରଣରୁ ଲୋକଙ୍କ ଘରେ ପାଣି ପଶିବା ସହିତ ବିଭିନ୍ନ ସ୍କୁଲ ମାନଙ୍କରେ କାଣି ପଶିଥିବା ଦେଖିବାକୁ ମିଳିଛି। ଏପରି ଜଳବନ୍ଦୀ ଅବସ୍ଥା କାରଣରୁ ଚାଷ ଜମିରେ ପାଣି ଜମି ଶହଶହ ଏକର ଜମିର ଚାଷ ମଧ୍ୟ ନଷ୍ଟ ହୋଇଥିବା ପଞ୍ଚାୟତ ବାସୀ ଅଭିଯୋଗ କରିିଛନ୍ତି। ଜଳବନ୍ଦୀ ଅବସ୍ଥା କାରଣରୁ ଲୋକେ ଘରୁ ବାହାରକୁ ଆସିବା ସମ୍ଭବପର ନହେବାରୁ ଘରେ ଥିବା ଶୁଖିଲା ଖାଦ୍ୟ ଖାଇ ଲୋକେ ଦିନ ବିତାଇଥିବା ପ୍ରକାଶ କରିଛନ୍ତି। କାଂଶବାଂଶ ନଦୀ ଫୁଲିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବନ୍ୟା ଜଳ ନିସ୍କାଷନର ବ୍ୟବସ୍ଥା ନଥିବାରୁ ଲୋକେ ଏପରି ଜଳବନ୍ଦୀ ଅବସ୍ଥାରେ ଥିବା ଜଣାପଡିଛି। ୩ଦିନ ଧରି ଏପରି ଅବସ୍ଥାରେ ଲୋକେ ଥିବା ସତ୍ୱେ ପ୍ରଶାସନର ଦେଖାନଥିବା ବେଳେ ସୋର ବିଡିଓଙ୍କୁ ବାରମ୍ବାର ଲୋକେ ଫୋନ କରିଥିଲେ ମଧ୍ୟ ସେ ଫୋନ ନଉଠାଇବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରାହ୍ଣରେ ସୋର ବିଧାୟକ ମାଧବ ଧଡା ସ୍ଥନୀର୍ୟ ସରପଞ୍ଚଙ୍କ ପ୍ରତିନଧିଙ୍କ ସମେତ ଅନ୍ୟମାନଙ୍କୁ ନେଇ ପଞ୍ଚାୟତରେ ବୁଲି ସ୍ଥିତି ପରଖିଥିବା ଜଣାପଡିଛି। ଲୋକଙ୍କୁ ଆବଶ୍ୟକ ମୁତାବକ ତୁରନ୍ତ ସହଯୋଗ ପ୍ରଦାକ କରିବାକୁ ସେ ବିଡିଓଙ୍କୁ ନିର୍ଦେଶ ଦେଇଛନ୍ତି।
