ଭଙ୍ଗାରଥରେ ଯାତ୍ରା କଲେ କୋଟିପତି ଦିଅଁ,
ବେଲଗୁଣ୍ଠା,୧୬/୦୭-(ଶିବରାମ ଚୌଧୁରୀ )-, ଆଜି ସାରା ଜଗତରେ ଅତି ଆନନ୍ଦ ଉଲ୍ଲାସର ସହିତ ଶ୍ରୀ ଜଗନ୍ନାଥଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ଅଧିନରେ ଥିବା ଐତିହ୍ୟ ଗ୍ରାମ ଜୟନ୍ତୀ ଗଡରେ। ଏହି ଗ୍ରାମରେ କୋଟି କୋଟି ସମ୍ପତ୍ତିର ମାଲିକ ବାସୁଦେବ ସ୍ବାମୀ କେବଳ ପରମ୍ପରା ରକ୍ଷା କରିବା ପାଇଁ ଏକ ଭଙ୍ଗା ରଥରେ ଯାତ୍ରା କରିବା ସହିତ ସ୍ଵମନ୍ଦିରକୁ ଫେରି ଆସିଛନ୍ତି । ଏଠି ଆଡମ୍ବର ତ ଦୁରର କଥା ମହାପ୍ରଭୁଙ୍କ ପାଇଁ ସୁସଜ୍ଜିତ ରଥଟିଏ ମଧ୍ୟ ନଥିଲା I ପ୍ରାୟ ୬୦ ବର୍ଷ ତଳେ ଜଗନ୍ନାଥଙ୍କ ପାଇଁ ନିର୍ମାଣ ହୋଇଥିବା ଭଙ୍ଗା ରଥରେ ହିଁ ବିଜେ କରିଥିଲେ ବିଶ୍ଵ ନିୟନ୍ତା ପ୍ରଭୁ। ରଥର ଅବସ୍ଥା ଏମିତି ଯେ ନିଜେ ପୂଜକ ମଧ୍ୟ ରଥ ଉପରକୁ ଯିବାକୁ ଭୟ କରିଥିଲେI କେତେବେଳେ ରଥ ସମ୍ପୂର୍ଣ୍ଣ ଭାଙ୍ଗିଯାଇ ସେଥିରୁ ଠାକୁର ତଳକୁ ଗଳି ପଡିବେ ତାହା କହିହେବ ନାହିଁ I ଆଜିର କାର୍ଯ୍ୟକ୍ରମରେ ପୂଜକ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ଏକୁଟିଆ ହିଁ ଦିନ ତମାମ ପୂଜାବିଧି କରିଥିଲେ। ସନ୍ଧ୍ୟା ସମୟରେ ରଥ ଟଣା ହୋଇଥିବା ବେଳେ ଗ୍ରାମରେ ମାଉସୀ ମାଆ ମନ୍ଦିର ନଥିବାରୁ ମହାପ୍ରଭୁ ନିଜ ମନ୍ଦିରକୁ ଫେରି ଆସିଥିଲେ। ରଥ ଯାତ୍ରା ପାଇଁ କାହାର ମଧ୍ୟ କୌଣସି ଆଗ୍ରହ ନଥିବା ଜଣାପଡୁଥିଲାl ବାଲ୍ମୀକି ନାୟକ ଏବଂ କୁମୁଦିନୀ ନାୟକ ରଥରେ ବାଉଁଶ ବତା ଏବଂ ଅଖା ଦଉଡ଼ି ଭିଡ଼ିବା ସହ ପୂର୍ବରୁ ଥିବା ଏକ କପଡା ରଥଉପରେ ଘୋଡେଇ ରଥକୁ ପ୍ରସ୍ତୁତ କରିଥିଲେ। ରଥଟି ଏକ ଭଙ୍ଗା ଶଗଡ଼ ଠାରୁ ମଧ୍ୟ ନିମ୍ନ ମାନର ମନେ ହେଉଥିଲା। ଠାକୁରଙ୍କ କୋଟିକୋଟି ମୂଲ୍ୟବାନ ଜମିର ବହୁ ରହିତାର୍ଥି ଥିଲେ ମଧ୍ୟ ରଥଟିକୁ ଟିକେ ସଜାଇବା ପାଇଁ କାହା ପାଖରେ ଆଗ୍ରହ ନଥିବା ନେଇ ଅଭିଯୋଗ ହୋଇଛି। ଏନେଇ କିଛିଦିନ ପୂର୍ବରୁ ଦୈନିକ ଖବର କାଗଜରେ ପ୍ରକାଶିତ ହେବା ପରେ ସ୍ଥାନୀୟ ଅଞ୍ଚଳକୁ ଗଣମାଧ୍ୟମ ପ୍ରତିନିଧିଙ୍କ ସୁଅ ଛୁଟିବା ସହିତ ପ୍ରଶାସନିକ ସ୍ତରରେ ମଧ୍ୟ ତତ୍ପରତା ଦେଖ ଦେଇଥିଲା। ପ୍ରକାଶ ଥାଉକି ଭଞ୍ଜ ବଂଶୀୟ ରାଜ ବଂଶର ଆରାଧ୍ୟା ଦେବୀ ମାଆ କନକ ଦୂର୍ଗାଙ୍କ ବାସସ୍ଥାନ ଗୋବରା ପଂଚାୟତର ଜୟନ୍ତୀ ଗଡ଼ ହୋଇଥିବା ବେଳେ ସେଠାରେ ପାଖାପାଖି ୨୦୦ ବର୍ଷ ହେବ ବାସୁଦେବ ସ୍ୱାମୀଙ୍କ ରଥଯାତ୍ରା ହୋଇ ଆସୁଛି I ଜୟନ୍ତୀ ଗଡ଼ର ଠାକୁର ଗରିବ ନୁହଁନ୍ତି, ସେ କୋଟିପତି ଜଗନ୍ନାଥ I କିନ୍ତୁ କଥାରେ ଅଛି ବାଟି ଚାଷ, ନିତି ଉପାସ। ଏହି ଉକ୍ତି ସାର୍ଥକ ହୋଇଛି ଜୟନ୍ତୀଗଡ ସ୍ଥିତ ପ୍ରଭୁ ବାସୁଦେବ ସ୍ବାମୀଙ୍କ ପାଇଁ। ଗଂଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜୟନ୍ତୀ ଗଡ଼ ଜଗନ୍ନାଥ ଠାକୁରଙ୍କର ଶହ ଶହ ଏକର ଜମି ବହୁ ରହିତାର୍ଥୀଙ୍କ ନିକଟରେ ରହିଛି I ବିଶେଷ କରି ଜଗନ୍ନାଥପ୍ରସାଦ ବ୍ଲକ୍ ର ଭୁଷଣ୍ଡପାଳ,ବେଲଗୁଣ୍ଠା ବ୍ଳକ୍ ର ଗୋବରା, ବିରିପୁର,ଆମ୍ବଡୋଳି, ଡେଙ୍ଗାପଦର,ବାସୁଦେବପୁର, ବରପଲ୍ଲୀ, ଜିରୋଳି,ବେଣୀପଲ୍ଲୀ, କରାଗାଡ଼ିଆ,ଓରିଗଡ଼,ଦୁବଲୁଣ୍ଡା ଓ ଲୁଣିପଡ଼ା ଅଞ୍ଚଳରେ ପ୍ରାୟ ଶହେ ଏକରରୁ ଉର୍ଦ୍ଧ୍ଵ ଜମି ରହିଛି I କିଛି ଜମି ଲୋକଙ୍କ ଦ୍ୱାରା ଜବରଦଖଲ ହୋଇ ସେଥିରେ ଘରଦ୍ୱାର ନିର୍ମାଣ ହୋଇଥିବା ବେଳେ କିଛି ଜମିକୁ ସେହି ଜମିର ରହିତାର୍ଥୀ ନିଜର ସମ୍ପତି କରି ନେଇଛନ୍ତି I ବାସୁଦେବ ସ୍ୱାମୀଙ୍କ କିପରି ନୂତନ ରଥ ନିର୍ମାଣ ହେବ ତାର ପୂର୍ବ ସ୍ଥିତି ଫେରି ଆସିବ ଏନେଇ ପ୍ରଶାସନ ଦୃଷ୍ଟି ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି I
