ଜଳ ନିଷ୍କାସନ ପଥ ବନ୍ଦକୁ କେନ୍ଦ୍ର କରି: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ବିଧବା ମହିଳା ।
ବନ୍ତ ବ୍ଲକ (ନିପ୍ର)ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ପାନପଦୀ ଗ୍ରାମରେ ଜଳ ନିଷ୍କାସନ ପଥ ବନ୍ଦକୁ କେନ୍ଦ୍ର କରି ଏକ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ଜଣେ ଅସହାୟ ବିଧବା ମହିଳାଙ୍କ ନିଜସ୍ୱ ଜମିକୁ ଜଳମଗ୍ନ କରିବା ସହ ଜଳ ନିଷ୍କାସନ ପଥକୁ ବନ୍ଦ କରି ଦିଆଯାଇଥିବା ନେଇ ବନ୍ତ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ବନ୍ତ ତହସିଲ ସ୍ତରରେ ମାମଲା ବିଚାରଧୀନ ଥିବା ସତ୍ତ୍ୱେ କିଛି ପ୍ରତିପତ୍ତିଶାଳୀ ବ୍ୟକ୍ତି ଗଣ୍ଡଗୋଳ କରିବା ସହ କ୍ଷତି ଘଟାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ପାନପଦୀ ଗ୍ରାମର ସ୍ୱର୍ଗତ ସୁଦର୍ଶନ ବାରିକଙ୍କ ପତ୍ନୀ କାମିନୀ ବାରିକ ନିଜର ବ୍ୟକ୍ତିଗତ ଜାଗାରେ ପୂର୍ବରୁ ଗ୍ରାମର କିଛି ଲୋକ ବେଆଇନ ଭାବେ ଜେସିବି ଲଗାଇ ଏକ ନାଳ ଖୋଳିଥିଲେ। ଏହାକୁ ନେଇ ଗତ ୨୬.୦୨.୨୦୨୬ ରେ ଥାନାରେ ଏକ ବୈଠକ ହୋଇଥିଲା, ଯେଉଁଠାରେ ତହସିଲ ମାଧ୍ୟମରେ ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ କେହି କାହାର ଜାଗା ଖୋଳିବେ ନାହିଁ କିମ୍ବା ଜଳ ନିଷ୍କାସନ ସ୍ରୋତକୁ ଅବରୋଧ କରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା ମାତ୍ର ବନ୍ତ ତହସିଲରେ ମାମଲା ଚାଲିଥିବା ସମୟରେ, ଚଳିତ ଲଗାଣ ବର୍ଷାର ସୁଯୋଗ ନେଇ ଗ୍ରାମର ତପନ ସାହୁ, ଅନିଲ ସାହୁ, ମାୟାଧର ସାହୁ, ଶିବସୁନ୍ଦର ବାରିକ, ବାମଦେବ ବାରିକ, ପ୍ରହ୍ଲାଦ ସାହୁ, ଧନେଶ୍ୱର ବେହେରା ଓ ଶେଷଦେବ ସାହୁ ପ୍ରମୁଖ ଆକ୍ରୋଶମୂଳକ ଭାବେ ପାଣି ନିଷ୍କାସନ ପାଇଁ ଥିବା ଜିରିଣା ଆର୍ ଡି ରାସ୍ତାର ପାନପଦୀ ବାଳିକା ବିଦ୍ୟାଳୟ ସମ୍ମୁଖରେ ଥିବା ହୋମ୍ ପାଇପ୍ ମୁହଁକୁ ମାଟି ପକାଇ ବନ୍ଦ କରିଦେଇଛନ୍ତି। ଏହି କାରଣରୁ ମହିଳାଙ୍କ ଚାଷ ଜମିରେ ପରିବା ଚାଷ ଏବଂ ପୋଖରୀ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ପୋଖରୀରେ ଛଡ଼ାଯାଇଥିବା ପ୍ରାୟ ୩୦ ହଜାର ଟଙ୍କାର ମାଛ ଯାଆଁଳ ନଷ୍ଟ ହେବା ସହ ଜମିରେ ଥିବା ଶତାଧିକ ମୂଲ୍ୟବାନ ଆକାଶି, ଆମ୍ବ, ନଡ଼ିଆ ଓ ଶାଗୁଆନ ଗଛ ସମେତ ଲାଗିଥିବା ପରିବା ନଷ୍ଟ ହେବାକୁ ବସିଲାଣି। ଅଭିଯୋଗକାରୀ କାମିନୀ ବାରିକ ଜଣେ ବିଧବା ମହିଳା ହୋଇଥିବାରୁ ଏଭଳି ମାନସିକ ଚାପ ସହ କ୍ଷତି ସହି ନପାରି ଶେଷରେ ବନ୍ତ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ସେ ଦୋଷୀମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ଅବରୋଧ ହଟାଇବା ଏବଂ କ୍ଷତିପୂରଣ ପ୍ରଦାନ କରିବାକୁ ନିବେଦନ କରିଛନ୍ତି। ପୋଲିସ ଏହି ଏତଲା ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରୁଥିବା ଜଣାପଡ଼ିଛି। ଏ ବିଷୟରେ ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କୁ ପଚାରିବାରୁ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ କହିଛନ୍ତି। ଏହା ସହିତ ସୁଭା ବାରିକ୍ ,ମନୁ ବେହେରା, ହରିହର ବାରିକ୍, ପ୍ରିୟନାଥ ବାରିକ୍, ପ୍ରମୋଦ ବାରିକ୍, ରବୀନ୍ଦ୍ର ବାରିକ୍, କାର୍ତ୍ତିକ ବାରିକ୍, ସୁରେନ୍ଦ୍ର ବାରିକ୍, ପ୍ରହଲ୍ଲାଦ ବାରିକ୍, ଭାବଗ୍ରାହୀ ବାରିକ୍, ଗୁଣବନ୍ଧୁ ବାରିକ୍, ତ୍ରିଲୋଚନ ବାରିକ୍, ସୁବାଷ ବାରିକ୍, ହୃଷି ସାହୁ, ପଦ୍ମନାଭ ସାହୁ, ଧରଣୀ ବାରିକ୍, ଲୋକନାଥ ବାରିକ୍ ସମେତ ଶତାଧିକ ଚାଷୀଙ୍କ ଧାନ କ୍ଷେତରେ ତଳି ନଷ୍ଟ ହୋଇଥିବା ବେଳେ ଆଣ୍ଠୁଏପାଣି ରହିଥିବା ଦେଖିବାକୁ ମିଳିଛି। ତୁରନ୍ତ ସରକାରୀ ଜାଗା ରେ ଥିବା ହୋମ୍ ପାଇପ୍ ଜଳ ନିଷ୍କାସନ ପଥକୁ ଖୋଲିବା ପାଇଁ ଦାବୀ କରିଛନ୍ତି।
