ପଦମପୁର କେନ୍ଦ୍ରୀୟ ବିଦ୍ୟାଳୟରେ ନୂତନ ନାମଲେଖା ପାଇଁ ବିଜ୍ଞପ୍ତି
ବରଗଡ :୧୫/୦୭(ନି ପ୍ର )ଜୁଲାଇ ୧୫ ରୁ ପଞ୍ଜୀକରଣ ଆରମ୍ଭ
ପଦମପୁରରେ ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ରୁ ଏକ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟକାରୀ ହେବାକୁ ଯାଉଛି, ଯାହା ସାମୟିକ ଭାବେ ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପରିସରରେ ପରିଚାଳିତ ହେବ। ଏହି ବିଦ୍ୟାଳୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଆରମ୍ଭ ହେଉଛି। ଏଥିପାଇଁ ପଞ୍ଜୀକରଣ ଫର୍ମ ପ୍ରଦାନ ଓ ଦାଖଲ ପ୍ରକ୍ରିୟା ୧୫ ଜୁଲାଇ ରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଚାଲିବ। ଏହାପରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ତାଲିକା ଅଗଷ୍ଟ ୦୩ ରୁ ଅଗଷ୍ଟ ୦୫ ମଧ୍ୟରେ ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀଙ୍କ ନାମଲେଖା ଏବଂ ଫିସ୍ ଦାଖଲ ପ୍ରକ୍ରିୟା ୦୬ ରୁ ୧୨ ଅଗଷ୍ଟ ମଧ୍ୟରେ ସମ୍ପନ୍ନ କରାଯାଇ ଅଗଷ୍ଟ ୧୩ ରୁ ନିୟମିତ ପାଠପଢ଼ା ଆରମ୍ଭ ହେବ। ପଞ୍ଜୀକରଣ ଫର୍ମ ସହିତ ଛାତ୍ରଛାତ୍ରୀଙ୍କର ସଦ୍ୟ ରଙ୍ଗୀନ ପାସପୋର୍ଟ ସାଇଜ୍ ଫଟୋ, ବୈଧ ଜନ୍ମ ପ୍ରମାଣପତ୍ର, ରକ୍ତ ବର୍ଗ (Blood Group) ପ୍ରମାଣପତ୍ର, ପିତାମାତା ଓ ଶିଶୁଙ୍କ ଆଧାର କାର୍ଡ ଏବଂ ବାସସ୍ଥାନର ବୈଧ ପ୍ରମାଣପତ୍ର (ଭଡ଼ାଘର ପାଇଁ ବୈଧ ଚୁକ୍ତିନାମା ଓ ବିଦ୍ୟୁତ ବିଲ୍) ଦାଖଲ କରିବା ବାଧ୍ୟତାମୂଳକ ଅଟେ। ପ୍ରଥମ ଶ୍ରେଣୀ ପାଇଁ ଆର.ଟି.ଇ (RTE) ଅଧୀନରେ ଆବେଦନ କରୁଥିବା ଛାତ୍ରଛାତ୍ରୀଙ୍କ ଘର ବିଦ୍ୟାଳୟଠାରୁ ସର୍ବାଧିକ ୮ କିଲୋମିଟର ଆକାଶମାର୍ଗ ଦୂରତା ମଧ୍ୟରେ ହେବା ଆବଶ୍ୟକ ଏବଂ ଏଥିପାଇଁ ଏକ ଦୂରତା ସମ୍ବନ୍ଧୀୟ ସ୍ୱ-ଘୋଷଣାନାମା ଦେବାକୁ ହେବ। ଏହା ସହିତ ସଂରକ୍ଷିତ ବର୍ଗ, ଆର୍ଥିକ ଅନଗ୍ରସର ଶ୍ରେଣୀ, ବିପିଏଲ୍ (BPL) କିମ୍ବା ଶାରୀରିକ ଭିନ୍ନକ୍ଷମ ଶ୍ରେଣୀର ଆବେଦନକାରୀମାନେ ନିଜର ବୈଧ ସରକାରୀ ପ୍ରମାଣପତ୍ର ଦାଖଲ କରିବେ। ସରକାରୀ କର୍ମଚାରୀମାନେ ସେମାନଙ୍କର ସର୍ଭିସ ପ୍ରମାଣପତ୍ର, ଗତ ୭ ବର୍ଷର ବଦଳି ଆଦେଶ ଏବଂ ମାସିକ ଦରମା ପତ୍ର ପ୍ରଦାନ କରିବେ।
