ସ୍ଲଗ୍: ଉମରକୋଟରେ ନେତ୍ରୋତ୍ସବ ପାଳିତ
ତାରିଖ: ୧୪/୦୭/୨୦୨୬
ସ୍ଥାନ: ଉମରକୋଟ
ରିପୋର୍ଟର: ଶ୍ରୀକାନ୍ତ ନନ୍ଦ
ଆଜି ପବିତ୍ର ନେତ୍ରୋତ୍ସବ ଅବସରରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସ୍ନାନଯାତ୍ରା ପରେ ଅନସର ନୀତି ଅବଧିରେ ମହାପ୍ରଭୁ ଅସୁସ୍ଥ ଥିବାର ପରମ୍ପରା ଅନୁଯାୟୀ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ। ଏହି ସମୟରେ ଦଇତା ସେବକମାନେ ଗୁପ୍ତ ନୀତି ମାଧ୍ୟମରେ ପ୍ରଭୁଙ୍କ ସେବା କରିଥାନ୍ତି।
ଅନସର ଅବଧି ଶେଷ ହେବା ପରେ ନେତ୍ରୋତ୍ସବ ଦିନ ବିଧିବିଧାନ ଅନୁସାରେ ମହାପ୍ରଭୁଙ୍କ ନେତ୍ର ଅଙ୍କନ କରାଯାଏ। ଏହା ପରେ ଶ୍ରୀଜୀଉ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ରଥଯାତ୍ରା ପୂର୍ବରୁ ଏହି ଦର୍ଶନକୁ ଅତ୍ୟନ୍ତ ପବିତ୍ର ଓ ଶୁଭ ବୋଲି ମନାଯାଏ l
ଉମରକୋଟ ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ସକାଳୁଠାରୁ ବିଭିନ୍ନ ଧାର୍ମିକ ନୀତିକାନ୍ତି ଶ୍ରଦ୍ଧାର ସହିତ ସମ୍ପନ୍ନ ହୋଇଥିଲl । ଭକ୍ତମାନେ ପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ମନ୍ଦିର ପରିସରରେ ହରିନାମ ସଂକୀର୍ତ୍ତନ, ଭଜନ ଓ ଧାର୍ମିକ କାର୍ଯ୍ୟକ୍ରମ ହେବା ସହ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା।
ଆସନ୍ତା ରଥଯାତ୍ରାକୁ ନଜରରେ ରଖି ମନ୍ଦିର କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର କରାଯାଇଛି।
