ଛାତ୍ରଛାତ୍ରୀଙ୍କ ପାଇଁ ଅରୁଚିକର ସେଣ୍ଟ୍ରାଲ କିଚେନ୍ ମଧ୍ୟାହ୍ନ ଭୋଜନ ; ବିଦ୍ୟାଳୟରେ ରୋଷେଇ କରି ଖାଇବାକୁ ଦେବାକୁ ଦାବି
ବେଲଗୁଣ୍ଠା,୧୪/୦୭,(ଶିବରାମ ଚୌଧୁରୀ )-ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବା ସହିତ ସେମାନଙ୍କୁ ଆବଶ୍ୟକ ପୋଷଣ ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରତି ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସରକାର ଯୋଗାଇଦେଉଛନ୍ତି ଉନ୍ନତ ମାନର ମଧ୍ୟାହ୍ନ ଭୋଜନ । ଗଞ୍ଜାମ ଜିଲ୍ଲାର ସବୁଠି ସ୍କୁଲ ଭିତରେ ନିଯୁକ୍ତ ପାଚିକା ମାନଙ୍କ ଦ୍ଵାରା ମଧ୍ୟାହ୍ନ ଭୋଜନ ରୋଷେଇ ହେଉଥିବା ବେଳେ କେବଳ ବେଲଗୁଣ୍ଠା ବ୍ଲକରେ ମହିଳା ସଂଚରିକା ଗୋଷ୍ଠୀ ରନ୍ଧା ଖାଦ୍ୟ ବଣ୍ଟନ କରୁଛି । କିନ୍ତୁ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି ଯେ ଏହି ଗୋଷ୍ଠୀ ଅତି ନିମ୍ନ ମାନର ଖାଦ୍ୟ ବଣ୍ଟନ କରି କୋଟି କୋଟି ଟଙ୍କା ହରିଲୁଟ୍ କରୁଛି। ବେଲଗୁଣ୍ଠା ବ୍ଳକ୍ ରେ ସେଣ୍ଟ୍ରାଲ କିଚେନ ରୁ ପ୍ରତିଦିନ ଗାଡ଼ିରେ ଲୋଡ୍ ହୋଇ ପ୍ରତି ସ୍କୁଲରେ ପହଞ୍ଚୁଛି ରନ୍ଧା ଖାଦ୍ୟ ।ପାଚିକା ମାନେ ରନ୍ଧା ଖାଦ୍ୟ ପିଲାଙ୍କୁ ବଣ୍ଟନ କରୁଛନ୍ତି । କିନ୍ତୁ ଛାତ୍ରଛାତ୍ରୀଙ୍କୁ ରୁଚୁନି ଟାଣ ଭାତକୁ ପାଣିଆ ତରକାରୀ। ପିଲାଏ ଅଳ୍ପ ଖାଉଛନ୍ତି ଅଧିକ ଫୋପାଡୁଛନ୍ତି।ସ୍କୁଲ ର ଅଧିକାଂଶ ପିଲାଏ ଘରୁ ଆଣିଥିବା ଟିଫିନ୍ ଖାଦ୍ୟ ବସି ଖାଉଛନ୍ତି । ଏ ଅଭାବନୀୟ ଦୃଶ୍ୟ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ବିଭିନ୍ନ ସ୍କୁଲରେ ଦେଖିବାକୁ ମିଳୁଛି । ଗୋଠଳି ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୨୦ ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।ପ୍ରତିଦିନ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ଆସୁଛି ।ହେଲେ ପିଲାଏ ଖାଇବାକୁ ଆସୁନଥିବାରୁ ପାଚିକା ମାନେ ଡାକି ଡାକି ପିଲାଙ୍କୁ ଖାଦ୍ୟ ବାଢ଼ି ଦେଉଛନ୍ତି ।ରନ୍ଧାଖାଦ୍ୟ ଅତି ନିମ୍ନ ମାନର ହୋଇଥିବାରୁ ପିଲାଏ ଗୁଣ୍ଡାଏ ଖାଇ ସବୁତକ ତଳେ ଢାଳି ଦେଉଥିବା ଦେଖିବାକୁ ମିଳିଛି ।
ଟାଣ ଭାତ ସାଙ୍ଗକୁ ପାଣିଆ ଡାଲି ଖାଇଲେ ଦେହ ଖରାପ ହେଉଛି। ସେଥିପାଇଁ ବାଧ୍ୟହୋଇ ଘରୁ ଆଣିଥିବା ଖାଦ୍ୟ ଖାଉଛନ୍ତି ଛାତ୍ର ଛାତ୍ରୀ ।ସ୍କୁଲରେ ନିଯୁକ୍ତି ପାଇଥିବା ପାଚିକା ଓ ସହାୟିକା ମାନେ ରୋଷେଇ ନକରି କେବଳ ଦରମା ପାଉଥିବା କହିଛନ୍ତି । ତେଣୁ ପୂର୍ବଭଳି ବିଦ୍ୟାଳୟରେ ରୋଷେଇ କରି ଖାଦ୍ୟ ବଣ୍ଟନ କରିବାକୁ ଦାବି ହୋଇଛି । ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲାରେ ୨୦୧୯ ମସିହାରେ ଆରମ୍ଭ ହୋଇଥିଲା ସେଣ୍ଟ୍ରାଲ କିଚେନ ଯୋଜନା । ବେଲଗୁଣ୍ଠା,ଭଞ୍ଜନଗର, ଜଗନ୍ନାଥପ୍ରସାଦ ର ମୋଟ ୧୨୩ ଟି ସ୍କୁଲର ୧୪ ହଜାର ରୁ ଅଧିକ ପିଲାଙ୍କୁ ସେଣ୍ଟ୍ରାଲ କିଚେନ ଯୋଜନାରେ ମଧ୍ୟାହ୍ନ ଭୋଜନ ରୋଷେଇ କରି ଯୋଗାଉଛି ମହିଳା ସଂଚୟିକା ଗୋଷ୍ଠୀ ।ଏହି ସଂସ୍ଥାକୁ ସରକାର ଚାଉଳ ଯୋଗାଇ ଦେଉଥିବା ବେଳେ ସରକାରଙ୍କ ସ୍ଥିରୀକୃତ ଖାଦ୍ୟ ଚାଟ୍ ରେ ଥିବା ରୋଷେଇ ବାବଦକୁ ପ୍ରାଥମିକ ଛାତ୍ର ଛାତ୍ରୀଙ୍କ ପିଛା ୧୧ ଟଙ୍କା ୧୫ ପଇସା,ଉଚ୍ଚ ପ୍ରାଥମିକ ଛାତ୍ର ଛାତ୍ରୀ ପିଛା ୧୪ ଟଙ୍କା ୭୪ ପଇସା ଯୋଗାଇ ଦେଉଛନ୍ତି ସରକାର ।ପିଲାଙ୍କ ପାଇଁ ଅଣ୍ଡା,ସୋୟାବଢ଼ି,ମାଣ୍ଡିଆ ଲଡୁ, ନିରାମିଷ ଖାଉଥିବା ପିଲାଙ୍କୁ କଦଳୀ ଯୋଗାଇ ଦେଉଛନ୍ତି ସରକାର ।ହେଲେ ଏହି ସଂସ୍ଥା ଅତି ନିମ୍ନ ମାନର ରନ୍ଧା ଖାଦ୍ୟ ଯୋଗାଇ ମାସିକ କୋଟି କୋଟି ଟଙ୍କା ହରିଲୁଟ୍ କରୁଥିବା ଅଭିଯୋଗ ହୋଇଛି ।ଅନ୍ୟପଟେ ଖାଦ୍ୟ ନିମ୍ନ ମାନର ଦିଆଯାଉଥିବା କଥା କୁ ଅସ୍ୱୀକାର କରିଛନ୍ତି ମହିଳା ସଂଚରିକା ସଙ୍ଘ୍ ର ମୁଖ୍ୟ ପରିଚାଳକ।ଖାଦ୍ୟର ମାନକୁ ପ୍ରତିମାସରେ ଯାଞ୍ଚ ପାଇଁ ଲ୍ୟାବ କୁ ପଠା ଯାଉଛି ।ଖାଦ୍ୟର ମାନ ଠିକ୍ ଅଛିକି ନାହିଁ ଜାଣିବା ପ୍ରତି ସ୍କୁଲ କୁ ଯାଇ ମନିଟରିଂ କରୁଥିବା କଥା ସେ ସଫେଇ ଦେଇଛନ୍ତି ।
