*ନୂଆପଡାରେ ବିଦ୍ୟୁତ ସମସ୍ୟାକୁ ନେଇ କଂଗ୍ରେସର ଦାବୀ*
*ଢେକୁନପାଣିରେ ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରି ତୁରନ୍ତ ବିଦ୍ୟୁତ ପୁନଃସ୍ଥାପନ ଦାବୀ*
*ନୂଆପଡା,( ମିଖାଏଲ ନନ୍ଦ)
ତା-୧୩/୦୭*
ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଢେକୁନପାଣି ଗ୍ରାମରେ ଦୀର୍ଘଦିନ ଧରି ବିଦ୍ୟୁତ ବିଚ୍ଛିନ୍ନ ହୋଇରହିଥିବା ବେଳେ ଆଜି ଗ୍ରାମବାସୀଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ ଏବଂ ବରିଷ୍ଠ କଂଗ୍ରେସ ନେତା ରବି ମଙ୍ଗରାଜ ପ୍ରଶାସନକୁ ଦାବୀପତ୍ର ପ୍ରଦାନ କରିଛନ୍ତି।ଗ୍ରାମରେ ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଗତ କିଛି ଦିନ ହେବ ସମ୍ପୂର୍ଣ୍ଣ ଗ୍ରାମ ଅନ୍ଧାରରେ ରହିଛି। ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢା, କୃଷି କାର୍ଯ୍ୟ ଏବଂ ଦୈନନ୍ଦିନ ଜୀବନଯାପନ ବାଧାପ୍ରାପ୍ତ ହୋଇଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।
ଏହି ପ୍ରେକ୍ଷାପଟରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କୋମନା ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଥିଲେ। ଦାବୀପତ୍ରରେ ଢେକୁନପାଣି ଗ୍ରାମରେ ତୁରନ୍ତ ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରି ୨୪ ଘଣ୍ଟା ମଧ୍ୟରେ ବିଦ୍ୟୁତ ସରବରାହ ପୁନଃସ୍ଥାପନ କରିବାକୁ ଦାବୀ କରାଯାଇଛି।ଏହି ଅବସରରେ ଶ୍ରୀ ମାଝୀ କହିଲେ ଯେ, “ଗ୍ରାମବାସୀ ଦିନକୁ ଦିନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦି ତୁରନ୍ତ ଟ୍ରାନ୍ସଫର୍ମର ଲଗାଯାଇ ବିଦ୍ୟୁତ ଦିଆନଯାଏ ତେବେ ଆମେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବୁ।”କଂଗ୍ରେସ ନେତା ରବି ମଙ୍ଗରାଜ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ସମସ୍ୟାର ସମାଧାନ ପାଇଁ ଚାପ ପ୍ରୟୋଗ କରିଥିଲେ। କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦାବୀପତ୍ର ଗ୍ରହଣ କରି ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଆଶ୍ୱାସନା ଦେଇଥିବା ଜଣାପଡିଛି।
ଗ୍ରାମବାସୀ କହିଛନ୍ତି ଯେ ଦାବୀ ପୂରଣ ନହେଲେ ସେମାନେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ।
