କନ୍ତିଆ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା ଶିବିର ଉଦଘାଟନ।
ଵନ୍ତ / ଆଗରପଡ଼ା ( ନି୍ ପ୍ର) ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ କନ୍ତିଆ ସ୍ଥିତ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କ ପାଇଁ ଏକ ସପ୍ତାହ ବ୍ୟାପୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି। ଆଜିର ସମାଜରେ ନାରୀ ସୁରକ୍ଷା ଏବଂ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ଲକ୍ଷ୍ୟରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶଙ୍କର୍ଷଣ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଡ଼ ଦେବଯାନୀ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଶକ୍ତିଶ୍ରୀ ପ୍ରଶିକ୍ଷିକା କବିତା ନାୟକ, ଅଧ୍ୟାପକ ସୁବାଷ ଚନ୍ଦ୍ର ନାୟକ, ଚନ୍ଦ୍ରକାନ୍ତ ବେହେରା, ମନୋଜ କୁମାର ରାଉତ୍,ସୁଶାନ୍ତ କୁମାର ବେହେରା, କର୍ମଚାରି ଉତ୍ତମ କୁମାର ବିଶ୍ଵାଳ, ଶଙ୍କର୍ଷଣ ରାଉତ୍ ସ୍ଥାନୀୟ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିରର ଶୁଭାରମ୍ଭ କରିବା ସହ ଛାତ୍ରୀମାନଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସଦାସର୍ବଦା ସତର୍କ ଏବଂ ସଶକ୍ତ ରହିବାକୁ ଆହ୍ୱାନ ଦେଇଥିଲେ। ବିପଦ ସମୟରେ କାହାର ସାହାଯ୍ୟକୁ ଅପେକ୍ଷା ନକରି ନିଜେ କିଭଳି ପ୍ରତିରକ୍ଷା କରିପାରିବେ, ସେ ନେଇ ଅତିଥିମାନେ ଆଲୋକପାତ କରିଥିଲେ। ଏହି ଶିବିରରେ ମହାବିଦ୍ୟାଳୟର +୩ଶାସ୍ତ୍ରୀ ୩ୟ ଓ ୨ୟ ବର୍ଷର ଛାତ୍ରୀ ଯୋଗ ଦେଇଥିଲେ। ଅଭିଜ୍ଞ ପ୍ରଶିକ୍ଷିକାମାନଙ୍କ ଦ୍ୱାରା ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର କୌଶଳ, କରାଟି ଓ ଆତ୍ମରକ୍ଷାର ଉପାୟ ଶିକ୍ଷା ଦିଆଯାଉଅଛି। କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ପରିଚାଳନା କରିଥିଲେ। ଏହି ଶିବିରକୁ ନେଇ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମ ଆଜି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।
