**ଖଡ଼ିଆଳରେ ‘ନଗର ବନ’ର ଭବ୍ୟ ଉଦଘାଟନ: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ନୂଆ ଆକର୍ଷଣ ଖଡ଼ିଆଳ*
ନୂଆପଡା (ମିଖାଏଲ ନନ୍ଦ)
ତା-୧୨/୦୭
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରବାସୀଙ୍କ ପାଇଁ ଏକ ଖୁସି ଖବର । ସ୍ଥାନୀୟ ପ୍ରାକୃତିକ ପରିବେଶକୁ ଅଧିକ ସୁନ୍ଦର, ସବୁଜିମାମୟ ଓ ପ୍ରଦୂଷଣମୁକ୍ତ କରିବା ଲକ୍ଷ୍ୟରେ ବନ ବିଭାଗ ପକ୍ଷରୁ ନିର୍ମିତ ‘ନଗର ବନ’ର ଭବ୍ୟ ଉଦଘାଟନ ହୋଇଯାଇଛି । ଏହି ପ୍ରକଳ୍ପ ଖଡ଼ିଆଳ ଅଞ୍ଚଳର ପରିବେଶ ସୁରକ୍ଷା ସହ ପର୍ଯ୍ୟଟନର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି ।ସାଂସଦ ଓ ବିଧାୟକଙ୍କ ଦ୍ୱାରା ଶୁଭାରମ୍ଭ:ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉଦଘାଟନୀ ସମାରୋହରେ କଳାହାଣ୍ଡି ସାଂସଦ ମାଲବିକା ଦେବୀ ଏବଂ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ‘ନଗର ବନ’ର ଶୁଭ ଉଦଘାଟନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ପୌରପାଳିକା ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା ଏବଂ ବନ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।ଉପସ୍ଥିତ ଅଧିକାରୀ ବୃନ୍ଦ:କାର୍ଯ୍ୟକ୍ରମରେ ଭବାନୀପାଟଣା ପିଏଫ୍ ସନ୍ତୋଷ ଯୋଶୀ, ଖଡ଼ିଆଳ ଡିଏଫ୍ଓ ଅଜିତ ଖାନ୍, ପ୍ରସନ୍ନଜୀତ ନାୟକ, ସୀତାରାମ ସର, ସୁଦାମ କୁମାର ଓ ପରମାନନ୍ଦ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ଏହାର ସଫଳ ପରିଚାଳନା କରିଥିଲେ।ସମୟ ଓ ପ୍ରବେଶ ଶୁଳ୍କ:ସହରବାସୀ ଓ ପର୍ଯ୍ୟଟକଙ୍କ ପାଇଁ ବନ ବିଭାଗ ପକ୍ଷରୁ ସମୟ ଏବଂ ଟିକେଟ୍ ମୂଲ୍ୟ ଧାର୍ଯ୍ୟ କରାଯାଇଛି ପ୍ରତିଦିନ ସକାଳ ୬:୦୦ ରୁ ସନ୍ଧ୍ୟା ୬:୦୦ ପର୍ଯ୍ୟନ୍ତ ଏହା ଖୋଲା ରହିବ ।ପ୍ରବେଶ ଶୁଳ୍କ (୪ ରୁ ୧୨ ବର୍ଷର ଶିଶୁ): ମାତ୍ର ୫ ଟଙ୍କା ।ପ୍ରବେଶ ଶୁଳ୍କ (୧୨ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି): ମାତ୍ର ୧୦ ଟଙ୍କା।ଉଦଘାଟନୀ ଦିବସରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ନଗର ବନର ମନୋରମ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ। ସ୍ୱାସ୍ଥ୍ୟ ପ୍ରେମୀ ଏବଂ ପ୍ରକୃତି ପ୍ରେମୀଙ୍କ ପାଇଁ ଏହା ଏକ ପ୍ରମୁଖ ମନୋରଞ୍ଜନ କେନ୍ଦ୍ର ପାଲଟିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
