ବ୍ଳକ ସ୍ତରୀୟ ଏକ ଦିବସିୟ ପ୍ରଧାନଶିକ୍ଷକ ସମ୍ମିଳନୀ।
ଚିକିଟି :୧୦/୦୭/୨୦୨୬: ଚିକିଟି ବ୍ଲକରେ କାର୍ଯ୍ୟରତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ /ଶିକ୍ଷୟିତ୍ରୀ ମାନଙ୍କୁ ନେଇ ରାଜକବି ରାଧାମୋହନ ବିଦ୍ୟାପୀଠ ଠାରେ ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ଏକ ଦିବସିୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଚିକିଟୀ ବ୍ଲକର ସମସ୍ତ ବିଦ୍ୟାଳୟରେ ଶିକ୍ଷା ର ଯେପରି ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ଏବଂ ସମସ୍ତ ଶିକ୍ଷକ ତଥା ଛାତ୍ରଛାତ୍ରୀ ବିଦ୍ୟାଳୟରେ ଠିକ ସମୟରେ ଉପସ୍ଥିତ ହୋଇ ଶୈକ୍ଷିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିବେ ତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ବିଇଓ ପନ୍ନଗ ଭୂଷଣ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଆରସିସି ତ୍ରିନାଥ ମଲ୍ଲିକ, ଏବିଇଓ ନାୟକ ସେଠି, ମେଘନାଥ ବେହେରା, ପ୍ରଧାନ ଶିକ୍ଷକ ଆରାଧେଶ୍ୱର ପଟ୍ଟନାୟକ ଓ ମଧୁସ୍ମିତା ପୃଷ୍ଟି ପ୍ରମୁଖ ମଞ୍ଚାସିନ ଥିଲେ। ମୁଖ୍ୟତଃ ୟୁ ଡାଇସ, ଅପାର ଆଇଡି, ଶୈକ୍ଷିକ ଦିଗ, ମଧ୍ୟାହ୍ନ ଭୋଜନ ପରିଚାଳନା, ପାଠ୍ୟପୁସ୍ତକ ଓ ୟୁନିଫର୍ମ ବଣ୍ଟନ, ଏସଏମସି ଗଠନ, ବିଭିନ୍ନ ରେକର୍ଡ ଓ ନଥିପତ୍ର ପ୍ରସ୍ତୁତି ଉପରେ ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ମାନେ ତାଲିମ୍ ପ୍ରଦାନ କରିଥିଲେ। ବିଶେଷ କରି ନୋଡାଲ ହାଇସ୍କୁଲ ମାନଙ୍କରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ପାଠ୍ୟଦାନ ଶିଶୁବାଟିକା ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତି କରିବା ସହ ପ୍ରଧାନ ଶିକ୍ଷକ ମାନେ ନିଜେ ଶ୍ରେଣୀ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା। ସେହିପରି ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ ପରୀକ୍ଷାରେ ସମସ୍ତ ବିଦ୍ୟାଳୟରେ ଶତ ପ୍ରତିଶତ ଫଳାଫଳ ହାସଲ କରିବା ସହ ଅଧିକ ମାତ୍ରାରେ ଏ ୱାନ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା। ସର୍ବୋପରି ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀ ଓ ମହିଳା କର୍ମଚାରୀ ଙ୍କ ପାଇଁ ସୁରକ୍ଷା ଅଧିକ ଧ୍ୟାନ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସିଆରସିସିଙ୍କ ସମେତ ୧୧୭ ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରମୁଖ ମାନେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମକୁ ଏମଆଇଏସ ଅମିତ ପାଢ଼ୀ ପରିଚାଳନା କରିଥିଲେ।
