ବୌଦ୍ଧରେ ‘ଯୋଶଦା’ ଯୋଜନା ଉପରେ ଏକଦିବସୀୟ ତାଲିମ: ଅର୍ଥାଭାବରୁ କୌଣସି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେନାହିଁ – ଜିଲ୍ଲାପାଳ l
ବୌଦ୍ଧ, ତା. ୦୧/୦୭: ବୌଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହରେ ରାଜ୍ୟ ସରକାରଙ୍କ ‘ଯୋଶଦା’ ଯୋଜନା ଓ ମିଶନ ବାତ୍ସଲ୍ୟ ସମ୍ପର୍କରେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ମାଧ୍ୟମିକ ବିଦ୍ୟାଳୟ,ମହାବିଦ୍ୟାଳୟ, ବୃତ୍ତିଗତ, ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନଙ୍କୁ ନେଇ ଏକଦିବସୀୟ ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗଦେଇ କହିଥିଲେ ଯେ, ଅର୍ଥାଭାବ କେବେ ମଧ୍ୟ ଜଣେ ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାରେ ବାଧକ ସାଜିବା ଉଚିତ୍ ନୁହେଁ। ତେଣୁ ପିତାମାତାହୀନ, ପରିତ୍ୟକ୍ତ, ଏଚ୍ଆଇଭି/ଏଡ୍ସ୍ ସଂକ୍ରମିତ, ଏକକ ଅଭିଭାବକଙ୍କ ସନ୍ତାନ ଏବଂ ଉଚ୍ଚ, ବୃତ୍ତିଗତ ଓ ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରୁଥିବା ସମସ୍ତ ଯୋଗ୍ୟ ଶିଶୁଙ୍କୁ ଚିହ୍ନଟ କରି ‘ଯୋଶଦା’ ଯୋଜନାରେ ସାମିଲ କରିବା ପାଇଁ ସେ ସମସ୍ତ ଶିକ୍ଷାନୁଷ୍ଠାନକୁ ଆହ୍ୱାନ ଜଣାଇଥିଲେ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ସ୍ୱାଗତ ଭାଷଣ ରଖିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ କିଶୋର ନ୍ୟାୟ ଆଇନ–୨୦୧୫ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସୁରକ୍ଷା ଅଧିକାରୀ ସୁଶାନ୍ତ ଭୋଇ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ‘ଯୋଶଦା’ ଯୋଜନାର ନିୟମାବଳୀ, ଯୋଗ୍ୟତା ଓ ସୁବିଧା ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ ଏଡଭୋକେଟ ରାଧାକାନ୍ତ ବାଘ ଓ ସଦସ୍ୟା ଶ୍ରୀମତୀ ଅନୁସୟା ହୋତା ଯୋଗଦେଇ ଶିଶୁ ସୁରକ୍ଷା ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ସମନ୍ୱିତ ପଦକ୍ଷେପର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ।ଶେଷରେ ଲିଗାଲ ପ୍ରବେସନ ଅଫିସର ସମରଶସେନ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରବଣ କୁମାର ସାହୁ, ବସନ୍ତ କୁମାର ଦିସିରି, ରିତେଶ ପଧାନ, ସହଦେବ ନାୟକ, ସତ୍ୟନାରାୟଣ ନାଏକ ଓ ରଞ୍ଜିତ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
