ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜନ ଶୁଣାଣି ଶିବିର : ଆସିଲା ୧୪୩ ଅଭିଯୋଗ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ ନିପ୍ର): ବାଲେଶ୍ୱର ଜିଲ୍ଲା ସୋର ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି ଶିବିରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ମୋଟ ୧୪୩ ଅଭିଯୋଗର ଶୁଣାଣି ହୋଇଛି। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦିବ୍ୟଜ୍ୟୋତି ଦାସ ଜନ ଶୁଣାଣି କରିଥିଲେ। ସୋର ପୌରପାଳିକାରେ ଡ୍ରେନ୍ ସମସ୍ୟା ସ୍ଵଚ୍ଛତା ସମସ୍ୟା,ଜମି ପଟ୍ଟା ସମସ୍ୟା, ଜଳସେଚନ, ଭତ୍ତା ସମସ୍ୟା ,ପ୍ରଧାନମନ୍ତ୍ରୀ ଆବାସ ସମସ୍ୟା , ବିଦ୍ୟୁତ ସମସ୍ୟା, ସ୍ୱାସ୍ଥ୍ୟ ଓ ରାସ୍ତା ଭଳି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା। ସୋର ପୌରପାଳିକା ଅଧୀନ ଅଡଙ୍ଗ ବଜାରର ଗୌତମ ପ୍ରସାଦ ରଣାଙ୍କ ଦୁଇ ଦିବ୍ୟାଙ୍ଗ ଶିଶୁ କନ୍ୟା ଡିଜେ ଶବ୍ଦ ଯୋଗୁ ଅସୁବିଧା ସମ୍ମୁଖୀନ ଅଭିଯୋଗ କରିଥିଲେ। ଦୀର୍ଘ ଦିନଧରି ସେମାନେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ରହିଆସୁଛନ୍ତି। ସେ ରହୁଥିବା ଅଡଙ୍ଗ ବଜାର ଛତ୍ରପୁର ଛକରେ ବିଭିନ୍ନ ଶୋଭାଯାତ୍ରାରେ ଯାଉଥିବା ଡିଜେ ଶବ୍ଦ ବନ୍ଦ କରିବାକୁ ନିବେଦନ କରିବା ସହ ଦୁଇ ଝିଅଙ୍କ ଆଧାର କାର୍ଡ କରିବା ପାଇଁ ଅବଗତ କରିବା ପରେ ଜିଲ୍ଲାପାଳ ସୋର ଥାନାଧିକାରୀଙ୍କୁ ଘଟଣା ବିଷୟରେ ବୁଝିବାକୁ କହିଥିଲେ। ସେହିପରି ଅନନ୍ତପୁର ଥାନାର ଜଣେ ଏଏସଆଇଙ୍କ ନାମରେ କିଛି ସ୍ଥାନୀୟ ଲୋକ ବିଭିନ୍ନ ଅଭିଯୋଗ କରିଥିଲେ। ବିଦ୍ୟୁତ ମରାମତି ପାଇଁ ଟିପିଏନଓଡିଏଲ ଦ୍ବାରା ଫ୍ରାଞ୍ଚାଇଜ ପାଇଥିବା ଆକାଂକ୍ଷା କମ୍ପାନୀ ଅନନ୍ତପୁର, ବାଳଙ୍ଗ ଓ ପାଖର ପଞ୍ଚାୟତରେ ବିଦ୍ୟୁତ୍ ମରାମତି କରୁନଥିବାରୁ ଚଳିତ ଗ୍ରୀଷ୍ମ ଋତୁରେ ବିଦ୍ୟୁତ ତାର ଛିଡ଼ି ପୁରସ୍ତମପୁର ଗାଁର ଜଣେ ନାବାଳକ ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିଲା। ସେହିପରି ମୁକ୍ତେଶ୍ୱରପୁର ଗ୍ରାମରେ ବିଦ୍ୟୁତ ତାର ଛିଡ଼ି ୫ ଗୋରୁ ମୃତ୍ୟୁବରଣ କରିଥିଲେ। ଏହି ଅବହେଳା ପାଇଁ ଆକାଂକ୍ଷା ପାୱାର ଇଣ୍ଟ୍ରାଷ୍ଟ୍ରକଚର ଲିମିଟେଡ଼ କମ୍ପନୀକୁ ତୁରନ୍ତ ମରାମତି କାର୍ଯ୍ୟରୁ ହଟାଇବା ସହିତ ପୁରୁଣା ଟିପିଏନଓଡିଏଲର କର୍ମଚାରୀଙ୍କୁ ଅନ୍ୟତ୍ର ବଦଳାଇବାକୁ ଜିଲ୍ଲାପାଳଙ୍କୁ ସ୍ଥାନୀୟ ବାସିନ୍ଦା ଅଭିଯୋଗ ପ୍ରଦାନ କରିଥିଲେ। ୪୫ ନଂ ଜିଲା ପରିଷଦ ସଭ୍ୟ ଜୟରାମ ଦାସ ସ୍ଥାନୀୟ ଅଞ୍ଚଳରେ ଟିପିଏନଓଡିଏଲ ପକ୍ଷରୁ ବର୍ଷା ଋତୁ ପୂର୍ବରୁ ଦୁର୍ବଳ ଟ୍ରାନ୍ସଫର୍ମର ବଦଳାଇବା, ଦୁର୍ବଳ ତାର ବଦଳାଇବା, ପୁରୁଣା କର୍ମଚାରୀଙ୍କୁ ବଦଳି ପାଇଁ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ସୋର ମୋବାରକପୁର ଗାଁର ୮୫ ବର୍ଷୀୟ ବୃଦ୍ଧ କୃଷ୍ଣଚନ୍ଦ୍ର ଗୁଇଁ ଗତ ତିନି ମାସ ଧରି ଭତ୍ତା ପାଉନଥିବାରୁ ଜନ ଶୁଣାଣିରେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ଏହି ଜନ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ହେମନ୍ତ ସିଂ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସଞ୍ଜୟ ରାଉତ, ସୋର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ ବେହେରା, ସୋର ଥାନାଧିକାରୀ ଦେବରାଜ ଜେନା, ଅନନ୍ତପୁର ଥାନାଧିକାରୀ ସରୋଜ ଦାସ, ସୋର ଭାରାପ୍ରାପ୍ତ ତହସିଲଦାର କୃଷ୍ଣମୋହନ ସିଂ, ସୋର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ପ୍ରଧାନ, ଟିପିଏନଓଡିଏଲ ଅଧିକାରୀ, ପୂର୍ତ୍ତ ବିଭାଗ ଅଧିକାରୀ ଯୋଗ ଦେଇଥିଲେ।
