*ନୂଆପଡା ଜିଲ୍ଲା ଖଡ଼ିଆଳରେ ଚାଷୀଙ୍କ ୩୫୩ ଜାତିୟ ରାଜପଥ ଅବରୋଧ ଗମନାଗମନ ଠପ୍, ପ୍ରଶାସନ ବିରୋଧରେ ଗର୍ଜିଲେ ଚାଷୀଖଡ଼ିଆଳ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୨୯/୦୬
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଚାଷୀ ଅସନ୍ତୋଷ ଉଗ୍ର ରୂପ ଧାରଣ କରିଛି। ମଣ୍ଡି ଅବ୍ୟବସ୍ଥା, ରବି ଧାନ କ୍ରୟରେ ବ୍ୟାପକ ବିଳମ୍ବ ଏବଂ ଟୋକନ୍ ସମସ୍ୟାକୁ ନେଇ ଶତାଧିକ ଚାଷୀ ରାଜପଥ ଉପରକୁ ଓହ୍ଲାଇଛନ୍ତି। ଚାଷୀମାନେ ଧାନ ବସ୍ତା ରାସ୍ତା ଉପରେ ରଖି ବ୍ୟାପକ ରାସ୍ତାରୋକ କରିବା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ଏବଂ ମୁଖ୍ୟ ମାର୍ଗରେ ଗମନାଗମନ ଠପ୍ ହୋଇଯାଇଛି।ମଣ୍ଡି ଅବ୍ୟବସ୍ଥାକୁ ନେଇ ତେଜିଲା ଅସନ୍ତୋଷଚାଷୀଙ୍କ ଅଭିଯୋଗ ଅନୁଯାୟୀ, ମାସ ମାସ ଧରି କଠିନ ପରିଶ୍ରମ କରି ଅମଳ କରିଥିବା ରବି ଧାନ ମଣ୍ଡିରେ ପଡ଼ି ରହିଛି। ପ୍ରଶାସନ ପକ୍ଷରୁ ସଠିକ୍ ସମୟରେ ଧାନ ଉଠାଯାଉ ନଥିବାରୁ ହଜାର ହଜାର କ୍ଵିଣ୍ଟାଲ ଧାନ ଖୋଲା ଆକାଶ ତଳେ ନଷ୍ଟ ହେବାକୁ ବସିଲାଣି। ଅନେକ ଚାଷୀଙ୍କ ଟୋକନ୍ ଅବଧି ଶେଷ ହେବାକୁ ଯାଉଥିଲେ ମଧ୍ୟ ପ୍ରଶାସନ କିମ୍ବା ଯୋଗାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଫଳରେ ଚାଷୀମାନେ କରଜ ପରିଶୋଧ କରିବା ଚିନ୍ତାରେ ବ୍ୟାକୁଳ ହୋଇ ଏହି ଚରମ ପଦକ୍ଷେପ ନେଇଛନ୍ତି।ପ୍ରଶାସନ ବିରୋଧରେ ନାରାବାଜି”ଆମ ହକ୍ ଆମକୁ ଦିଅ”, “ଚାଷୀ ବିରୋଧୀ ପ୍ରଶାସନ ମୁର୍ଦ୍ଦାବାଦ” ଭଳି ସ୍ଲୋଗାନ ଦେଇ ଚାଷୀମାନେ ସ୍ଥାନୀୟ ପ୍ରଶାସନ ଓ ଯୋଗାଣ ବିଭାଗ ବିରୋଧରେ ତୀବ୍ର ଗର୍ଜନ କରିଛନ୍ତି। ଆନ୍ଦୋଳନକାରୀ ଚାଷୀଙ୍କ କହିବା କଥା ଯେ, ପ୍ରଶାସନିକ ଅଧିକାରୀ ଏବଂ ମିଲର୍ସମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସାଧାରଣ ଚାଷୀ ହଇରାଣ ହେଉଛନ୍ତି। ଏଫ୍ଏକ୍ୟୁ (FAQ) ମାନ ନାଁରେ କାଟଛାଣ୍ଟ କରାଯାଉଥିବା ନେଇ ମଧ୍ୟ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଗମନାଗମନ ଠପ୍, ଯାତ୍ରୀ ହନ୍ତସନ୍ତରାସ୍ତାରୋକ ଯୋଗୁଁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ମାଲବାହୀ ଟ୍ରକ୍, ବସ୍ ଓ ଜରୁରୀକାଳୀନ ଯାନବାହନ ଅଟକି ରହିଛି। ଯାତ୍ରୀମାନେ ଦୀର୍ଘ ସମୟ ଧରି ରାସ୍ତାରେ ଫସି ରହି ଚରମ ହଇରାଣ ହେଉଛନ୍ତି। ଖବର ପାଇ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ଚାଷୀମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି—ଯେପର୍ଯ୍ୟନ୍ତ ମଣ୍ଡିରୁ ପ୍ରତିଟି ଧାନ ବସ୍ତା ଉଠାଇବା ପାଇଁ ଲିଖିତ ପ୍ରତିଶ୍ରୁତି ନମିଳିଛି, ସେପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତ୍ୟାହାର ହେବ ନାହିଁ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛନ୍ତି।
