ସାରସକଣା/ଜାମଶଳା(ଅନିଲ କୁମାର ସାହୁ) : ବର୍ଷା ଆରମ୍ଭରୁ ରାଜ୍ୟରେ ଡାଇରିଆ ବ୍ୟାପିବାକୁ ଆରମ୍ଭ କରିଛି।ଜଣକୁ ଡାକ୍ତରଖାନାରେ ଭର୍ତ୍ତି କଲା ବେଳକୁ ଘରେ ଅନ୍ୟ ମାନେ ଅସୁସ୍ଥ ହୋଇ ପଡୁଛନ୍ତି। ଗାଁ ଗାଁ ରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଲାଣି।୭ଟି ଜିଲ୍ଲାରେ ବର୍ତ୍ତମାନ ଡ଼ାଇରିଆ ବ୍ୟାପି ସାରିଲାଣି।କେବଳ ଯାଜପୁର ଜିଲ୍ଲାରେ ଗତକାଲି ସୁଦ୍ଧା ସରକାରି ଭାବେ ୧୭ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି।ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ଶତାଧିକ ଲୋକ ଏଥିରେ ହେଉଥିବା ନଜରକୁ ଆସିଲାଣି।ଯାଜପୁର ରେ କଲବଲ କରୁଛି ଝାଡ଼ାବାନ୍ତି।ହଇଜା ଚିହ୍ନଟ ପରେ ସ୍ଥିତି ଆହୁରି ସଙ୍ଗୀନ ହେଲାଣି।ବ୍ୟାପକ ସରକାରି ପଦକ୍ଷେପ,ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଘନ ଘନ ଯାଜପୁର ଗସ୍ତ ସତ୍ତ୍ବେ ବି ଜିଲ୍ଲାରେ ଡ଼ାଇରିଆ ନିୟନ୍ତ୍ରଣକୁ ଆସୁନାହିଁ। ଡ଼ାଇରିଆ ଏବେ ଭଦ୍ରକ,କଟକ,କେନ୍ଦ୍ରାପଡ଼ା,ଭୁବନେଶ୍ୱର, ଢେଙ୍କାନାଳ, ଓ କେନ୍ଦୁଝର ଭଳି ଜିଲ୍ଲାକୁ ବ୍ୟାପି ଗଲାଣି। ଏକାଧିକ ଜିଲ୍ଲାକୁ ଡ଼ାଇରିଆ ବ୍ୟାପିବା ପରେ ଜିଲ୍ଲା ପ୍ରଶାସନ ମାନେ ତତ୍ପର ହୋଇଛନ୍ତି।ବାସୀ ଖାଦ୍ୟ ଓ ଦୂଷିତ ପାଣି ବିକ୍ରୀ ଅଭିଯୋଗରେ ବିଭିନ୍ନ ହୋଟେଲ ଓ ରାସ୍ତା କଡ଼ରେ ଥିବା ଉଠା ଦୋକାନୀଙ୍କ ଉପରେ ଚଢ଼ଉ ଆରମ୍ଭ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଅଶ୍ବତୀ ଏସ୍ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଡ଼ାଇରିଆ ମୁକାବିଲା କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ତଦାରଖ ଓ ସମୀକ୍ଷା କରିଛନ୍ତି।
ସମ୍ଭ୍ରତି ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଦେଖାଯାଇଥିବା ଡ଼ାଇରିଆ ସମସ୍ୟାର ତୁରନ୍ତ ସମାଧାନ କରିବା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇ ତୃଣମୂଳ ସ୍ତରରେ ପଦକ୍ଷେପ ନେବାକୁ ସମସ୍ତ ଗ୍ରାମ୍ୟଜଳ ଯୋଗାଣ ଓ ପରିମଳ ଉପଖଣ୍ଡ ଗୁଡ଼ିକକୁ ନିର୍ଦ୍ଦେଶ ଦିଆଯାଇଛି।ପ୍ରଭାବିତ ଗାଁ ଗୁଡିକରେ ନଳକୂପ ଏବଂ ଓଭରହେଡ ପାଣି ଟାଙ୍କି ଗୁଡ଼ିକ ବିଶୋଧନ କରାଯିବ।ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସମ୍ବେଦନଶୀଳ ସହରାଞ୍ଚଳ ପ୍ରତି ବିଶେଷ ଧ୍ୟାନ ସମସ୍ତ ଜଳ ଉତ୍ସ ଗୁଡିକର ପରିମଳ ଓ ନିରାପତ୍ତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଝାଡ଼ାବାନ୍ତି,ହଇଜା ଭଳି ରୋଗକୁ ପରିହିତ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ମିଳିତ ଭାବେ କାମ କରିବାକୁ ଗୁରୁତ୍ୱ ଦେଇଛନ୍ତି। ଝାଡ଼ାବାନ୍ତିର କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି।
