ପାରଳାଖେମୁଣ୍ଡି(ଟିକି ଲିମା) : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ୱାର୍ଡ ନଂ ୧୫ ଫ୍ରେଣ୍ଡସ୍ କଲୋନୀର ଘର ନମ୍ୱର୍ ୭୦୪ ଠାରେ ଅନୁଷ୍ଠିତ ଏକ ବୁଦ୍ଧ ଧମ୍ମ ଦୀକ୍ଷା ସମାରୋହରେ ଗଜପତି ଜିଲ୍ଲାର ରା. ଉଦୟଗିରି ଥାନା ଅନ୍ତର୍ଗତ ନୂଆଗଡ଼ ବ୍ଲକ୍ ର ସମ୍ବଲପୁର ପଞ୍ଚାୟତର ଏନ୍. ଝାଲାରସିଂ ଗ୍ରାମର ଶ ଅରୁଣ ପ୍ରଧାନଙ୍କ ଜ୍ୟେଷ୍ଠ ପୁତ୍ର ସୁସାନ୍ତ ପ୍ରଧାନ ପୁରୁଣା ଧର୍ମ ତ୍ୟାଗ କରି ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି। ଓଡ଼ିଶା ଧର୍ମ ସ୍ୱାଧୀନତା ନିୟମ ୧୯୮୯ ଅନୁଯାୟୀ, ଶ୍ରୀ ସୁସାନ୍ତ ପ୍ରଧାନ ଗତ ତା ୨୩-୦୫-୨୦୨୫ ରିଖରେ ଗଜପତି ଜିଲ୍ଲାପାଳକଙ୍କୁ ଧର୍ମ ପରିବର୍ତ୍ତନ ପାଇ ସୂଚନା ପ୍ରଦାନ କରିଥିଲେ। ବୁଦ୍ଧଚାର୍ଯ୍ୟ ପ୍ରଶାନ୍ତ ବୁଦ୍ଧଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମାରୋହ ରଙ୍ଗୀନ ପତାକା, ପୁଷ୍ପସଜ୍ଜିତ ବୁଦ୍ଧ ମୂର୍ତ୍ତି ଓ ବୌଦ୍ଧଙ୍କ ଜୀବନର ଗାଥା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ବୁଦ୍ଧଙ୍କ ପଞ୍ଚଶୀଳ, ଜ୍ଞାନ ଲାଭ ଓ ମହାପରିନିର୍ବାଣର ତ୍ରିବେଣୀ ସଙ୍ଗମକୁ ସ୍ମରଣ କରି ଏହି କାର୍ଯ୍ୟକ୍ରମ ଶ୍ରଦ୍ଧା ଓ ଭକ୍ତିଭାବରେ ଅନୁଷ୍ଠିତ ହୋଇଥିଲା। ବୌଦ୍ଧଚାର୍ଯ୍ୟ ପ୍ରଶାନ୍ତ ବୁଦ୍ଧ ତାଙ୍କ ବକ୍ତବ୍ୟରେ ଗୌତମ ବୁଦ୍ଧଙ୍କ ଅହିଂସା, ସମତା ଓ କରୁଣାର ବାର୍ତ୍ତାକୁ ପ୍ରଚାର କରି ମାନବ ସମାଜରେ ସାମାଜିକ ସମାନତା, ବନ୍ଧୁତ୍ୱ, ଜୀବଜନ୍ତୁଙ୍କ ପ୍ରତି ଦୟା ଓ ଶାନ୍ତି ପ୍ରତିଷ୍ଠାର ଆହ୍ୱାନ ଦେଇଥିଲେ। ଏହି ଅବସରରେ ବଲାଙ୍ଗିରି ଜିଲ୍ଲାରୁ ବୌଦ୍ଧଚାର୍ଯ୍ୟ ପ୍ରଶାନ୍ତ ବୌଦ୍ଧ,ରାୟଗଡ଼ା ଜିଲ୍ଲାରୁ ଚନ୍ଦନ ବେବର୍ତ୍ତା, ଶ୍ରୀ ବୟାଜ ଲିମା, ଶ୍ରୀ କାହ୍ନୁ ଚରଣ ଲିମା ଗଜପତି ଜିଲ୍ଲାରୁ ସାମାଜିକ କର୍ମୀ ଜେମ୍ସ୍ ଭି , ଅଜିତ୍ କରାଡ଼, ତପନ ପ୍ରଧାନ, ମୁକ୍ତ ମାଳି, ପୂର୍ଣ୍ଣଚନ୍ଦ୍ର ରଣଜିତ ପ୍ରମୁଖ ଉପସ୍ଥିତ ଥିଲେ। ରାଷ୍ଟ୍ରୀୟ ଓ ଆନ୍ତର୍ଜାତୀୟ ବୌଦ୍ଧିଷ୍ଟ ସମାଜର ରାଜ୍ୟ ସଭାପତି ଧିମାନ୍ କାହ୍ନୁ ଚରଣ ଲିମାଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ସମାରୋହ କେବଳ ଏକ ଧାର୍ମିକ ଆନୁଷ୍ଠାନିକତା ନୁହେଁ, ବରଂ ସାମାଜିକ ଏକତା ଓ ଭାତୃଭାବର ଏକ ଜୀବନ୍ତ ପ୍ରତୀକ ଭାବେ ଉଭା ହୋଇଥିଲା। ଉପସ୍ଥିତ ବୌଦ୍ଧ ଧର୍ମାବଲମ୍ବୀମାନେ ବୁଦ୍ଧ ପ୍ରତିମୂର୍ତ୍ତି ଆଗରେ ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ, ଯାହା ସମାଜରେ ଶାନ୍ତିର ବାର୍ତ୍ତା ପ୍ରଚାର କରିବା ସହ ବୁଦ୍ଧଙ୍କ ଆଦର୍ଶକୁ ଅନୁସରଣ କରିବାର ପ୍ରେରଣା ଯୋଗାଇଥିଲା।
