କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ସାହାରପଡା ବ୍ଲକ ଅନ୍ତର୍ଗତ ରଘୁନାଥପୁର ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତା କଡ଼ରେ ଥିବା ଏକ ବୁଦା ମୂଳରୁ ଏକ ଅସହାୟ ନବଯାତ ଶିଶୁ ପୁତ୍ରକୁ ସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ଆଜି ସକାଳେ ରଘୁନାଥପୁର ଗ୍ରାମର ଶ୍ରୀମତୀ ମହାନ୍ତ ନାମକ ଜଣେ ମହିଳା ଶୌଚ ହେବା ପାଇଁ ଯାଉଥିବା ସମୟରେ ପ୍ରାଥମିକ ବିଦ୍ୟାଳୟ ନିକଟ ବୁଦା ଭିତରୁ ଏକ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣିବାକୁ ପାଇଥିଲେ। ସେ ସେଠାକୁ ଯାଇ ଦେଖିବା ବେଳେ ଏକ ଜୀବନ୍ତ ଶିଶୁ ପୁତ୍ର ପଡ଼ିଥିବା ଦେଖି ଗ୍ରାମବାସୀ ଏବଂ ସ୍ଥାନୀୟ ଆଶା କର୍ମୀଙ୍କୁ ଏ ବାବଦରେ ଜଣାଇଥିଲେ। ଖବର ପାଇ ଆଶା କର୍ମୀ ହେମଲତା ବେୱା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ଲକ ପ୍ରୋଗ୍ରାମ ମ୍ୟାନେଜର (BPM) ଧିରେନ କୁମାର ମହାନ୍ତ ଏବଂ ସିଡିପିଓ (CDPO) ଦିପ୍ତିମୟୀ ନାଏକଙ୍କୁ ଜରୁରୀ ସୂଚନା ଦେଇଥିଲେ।
ସିଡିପିଓ ଏବଂ ବିପିଏମଙ୍କ ପ୍ରତ୍ୟେକ୍ଷ ନେତୃତ୍ୱରେ ଏବଂ ସ୍ଥାନୀୟ ପୋଲିସର ସହାୟତାରେ ନବଜାତ ଶିଶୁଟିକୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ଉଦୟପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିବା ପରେ କେନ୍ଦୁଝର ଶିଶୁ ହେଲ୍ପଲାଇନ ସଦସ୍ୟଙ୍କୁ ଅବଗତ କରାଯାଇଥିଲା। ଖବର ପାଇ ହେଲ୍ପଲାଇନ ସଦସ୍ୟମାନେ ମେଡିକାଲରେ ପହଞ୍ଚିବା ପରେ ସମସ୍ତଙ୍କ ଉପସ୍ଥିତିରେ ନବଜାତ ଶିଶୁଟିକୁ କେନ୍ଦୁଝରକୁ ସ୍ଥାନାନ୍ତରିତ କରାଯାଇଛି।
ଏହି ସମଗ୍ର ସ୍ୱାସ୍ଥ୍ୟ ପରୀକ୍ଷା ଓ ଉଦ୍ଧାର ପ୍ରକ୍ରିୟାରେ ଡାକ୍ତର ମନୋରଞ୍ଜନ ଜେନା, ଖୋଜିରାପାଟ ସିଏଚଓ (CHO) ଶୁଭ୍ରଲୀନ ମାଝୀ, ଖଜିରାପାଟ ସରପଞ୍ଚ ଅମ୍ବିକା ନାଏକ, ସିଆରପି (CRP) ଶ୍ରୀମତୀ ମହାନ୍ତ, ଶିଶୁ ହେଲ୍ପଲାଇନ ସୁପରଭାଇଜର ରୋହିତ କୁମାର ମହାନ୍ତ, କେସ୍ ୱାର୍କର୍ ଦେବଜ୍ୟାତି ଦେହୁରୀ ଏବଂ ତୁରୁମୁଙ୍ଗା ଥାନାର ଏଏସଆଇ (ASI) ଦେବନ୍ଦ୍ର ମୁର୍ମୁଙ୍କ ସହ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଶିଶୁଟିକୁ କିଏ ଏବଂ କେଉଁ ପରିସ୍ଥିତିରେ ସେଠାରେ ଛାଡ଼ି ଚାଲିଯାଇଛି, ସେ ନେଇ ପୋଲିସ ତଦନ୍ତ ଚଳାଇଛି।
