*ନୂଆପଡ଼ାରେ ଧାନ କ୍ରୟ ପ୍ରକ୍ରିୟାରେ ଅଗ୍ରଗତି: ୮,୬୧୭ ଚାଷୀଙ୍କଠାରୁ କ୍ରୟ ସମ୍ପନ୍ନ, ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା*
ନୂଆପଡ଼ା(ମିଖାଏଲ ନନ୍ଦ)
୨୩/୦୬:
ନୂଆପଡ଼ା ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟାକୁ ସୁଚାରୁ, ସ୍ୱଚ୍ଛ ଓ ବ୍ୟବସ୍ଥିତ ଭାବେ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରନ୍ତର ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଧାନ କ୍ରୟ ବ୍ୟବସ୍ଥାର ନିୟମିତ ସମୀକ୍ଷା କରାଯାଇ ଚାଷୀମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି।ଜୁନ ୨୩ରେ ଜିଲ୍ଲାରେ ଗୋଟିଏ ଦିନରେ ୧୯,୭୮୫.୧୮ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି। ଏହି ଦିନର କ୍ରୟ ପ୍ରକ୍ରିୟାରେ ୩୯୧ ଜଣ ଚାଷୀ ଅଂଶଗ୍ରହଣ କରିଥିବା ବେଳେ ୩୫ଟି ଧାନ କ୍ରୟ କେନ୍ଦ୍ର (PPC) କାର୍ଯ୍ୟକ୍ଷମ ରହିଥିଲା।
ଜିଲ୍ଲାରେ ଏପର୍ଯ୍ୟନ୍ତ ସମୁଦାୟ ୪,୩୯,୦୯୩.୭୭ କ୍ୱିଣ୍ଟାଲ ଧାନ କ୍ରୟ ହୋଇଛି। ଏଥିରେ ୮,୬୧୭ ଜଣ ଚାଷୀ ନିଜର ଧାନ ବିକ୍ରୟ କରିଛନ୍ତି। ଚାଷୀଙ୍କଠାରୁ ଧାନ କ୍ରୟ ପାଇଁ ଜିଲ୍ଲାରେ ମୋଟ ୫୧ଟି ପିପିସି ମାଧ୍ୟମରେ ବ୍ୟବସ୍ଥା କରାଯାଇଛି।ଧାନ କ୍ରୟ ପ୍ରକ୍ରିୟାରେ ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ PPC ଗୁଡ଼ିକର କାର୍ଯ୍ୟକଳାପ ଉପରେ ନିୟମିତ ନଜର ରଖାଯାଉଛି।
ଚାଷୀଙ୍କ ହିତ ସୁରକ୍ଷା, ଧାନ କ୍ରୟରେ ସ୍ୱଚ୍ଛତା ଓ ସୁଚାରୁ ପରିଚାଳନା ଜିଲ୍ଲା ପ୍ରଶାସନର ପ୍ରମୁଖ ଲକ୍ଷ୍ୟ ରହିଛି।
