, ଭଞ୍ଜ ଦୂତ ଖବର କାଗଜ ନିୟୁଜ ବାଜିଲା, ଭଞ୍ଜଦୂତ, ପ୍ରଭାବ ଡେଙ୍ଗାଜାନିଗୁଡ଼ାରେ ନାଲକୋ ରେଡ୍ମଡ୍ ପ୍ରଦୂଷଣ ଅଭିଯୋଗ: ଏନ୍ଏଚ୍ଆର୍ସିର ହସ୍ତକ୍ଷେପ ଓ
ମନୋଜ ଜେନାଙ୍କ ଅଭିଯୋଗ ଉପରେ ନାଲକୋ ସିଏମ୍ଡି ଓ କୋରାପୁଟ ଜିଲ୍ଲାପାଳଙ୍କୁ ୧୫ ଦିନରେ ରିପୋର୍ଟ ନିର୍ଦ୍ଦେଶ
କୋରାପୁଟ, ୧/୯ କୋରାପୁଟ ଜିଲ୍ଲା ଦାମନଯୋଡ଼ିସ୍ଥିତ ନାଲକୋର ରେଡ୍ମଡ୍ ପଣ୍ଡ୍ରୁ ବିଷାକ୍ତ ବର୍ଜ୍ୟ ନିର୍ଗମନ ଯୋଗୁଁ ଡେଙ୍ଗାଜାନିଗୁଡ଼ା ଗ୍ରାମ ପ୍ରଦୂଷିତ ହେଉଥିବା ନେଇ ଆସିଥିବା ଅଭିଯୋଗ ଉପରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି) ଗୁରୁତ୍ୱପୂର୍ଣ୍ଣ ହସ୍ତକ୍ଷେପ କରିଛନ୍ତି। ମାନବାଧିକାର ସୁରକ୍ଷା ସଂସ୍ତା ‘ହ୍ୟୁମାନ୍ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ’ର ଅଧ୍ୟକ୍ଷ ମନୋଜ ଜେନାଙ୍କ ପକ୍ଷରୁ ଦାଖଲ ହୋଇଥିବା ଅଭିଯୋଗକୁ ଆଧାର କରି ଏନ୍ଏଚ୍ଆର୍ସି ନାଲକୋ ସିଏମ୍ଡି ଓ କୋରାପୁଟ ଜିଲ୍ଲାପାଳଙ୍କୁ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏନ୍ଏଚ୍ଆର୍ସିର ଆଇନ ବିଭାଗ ପକ୍ଷରୁ ୧ ସେପ୍ଟେମ୍ବର ୨୦୨୬ରେ ଜାରି ଚିଠିରେ ଏହି ମାମଲାକୁ କେସ୍ ନଂ. ୮୫୩/୧୮/୮/୨୦୨୬ ଭାବେ ଉଲ୍ଲେଖ କରାଯାଇଛି। ମନୋଜ ଜେନାଙ୍କ ଦ୍ୱାରା ୨୮ ଅଗଷ୍ଟ ୨୦୨୬ରେ ଦାଖଲ ହୋଇଥିବା ଅଭିଯୋଗ ୧ ସେପ୍ଟେମ୍ବରରେ ଆୟୋଗଙ୍କ ସମ୍ମୁଖରେ ଉପସ୍ଥାପିତ ହୋଇଥିଲା।
ଅଭିଯୋଗରେ ଶ୍ରୀ ଜେନା ଦର୍ଶାଇଛନ୍ତି ଯେ, ୧୯୮୭ ମସିହାରୁ ଦାମନଯୋଡ଼ିସ୍ଥିତ ନାଲକୋର ରେଡ୍ମଡ୍ ପଣ୍ଡ୍ରୁ ବିଷାକ୍ତ ବର୍ଜ୍ୟ ଡେଙ୍ଗାଜାନିଗୁଡ଼ା ଗ୍ରାମକୁ ପ୍ରଦୂଷିତ କରୁଛି। ଏହି ଅଭିଯୋଗର ସତ୍ୟତା ଅନୁଧ୍ୟାନ ପାଇଁ ତାଙ୍କ ନେତୃତ୍ୱରେ ୨୩ ଅଗଷ୍ଟରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଚିଠିରେ ଉଲ୍ଲେଖ ରହିଛି।
ଅଭିଯୋଗ ଅନୁଯାୟୀ, ରେଡ୍ମଡ୍ର ବିଷାକ୍ତ ତରଳ ବର୍ଜ୍ୟ ଲିକ୍ ହୋଇ ଗାଁର ପାନୀୟଜଳ ଉତ୍ସ ପ୍ରଦୂଷିତ କରୁଛି। ଏହା ସହ ଚାଷଜମି ନଷ୍ଟ ହେବା, ଗୃହପାଳିତ ପଶୁଙ୍କ ମୃତ୍ୟୁ ଏବଂ ଲୋକଙ୍କଠାରେ ବିଭିନ୍ନ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଥିବା ଅଭିଯୋଗ ହୋଇଛି। ବିଶେଷକରି ଆଦିବାସୀ ଗ୍ରାମବାସୀ ଓ ମହିଳାମାନେ ଏହାର ପ୍ରଭାବରେ ଅଧିକ କଷ୍ଟ ଭୋଗୁଥିବା ମନୋଜ ଜେନା ଅଭିଯୋଗରେ ଦର୍ଶାଇଛନ୍ତି।
ଏଥିସହ ଗାଁଠାରୁ ପ୍ରାୟ ୨୦୦ ମିଟର ଦୂରରେ ପ୍ରସ୍ତାବିତ ଦ୍ୱିତୀୟ ରେଡ୍ମଡ୍ ପଣ୍ଡ୍ ନିର୍ମାଣକୁ ନେଇ ମଧ୍ୟ ଅଭିଯୋଗରେ ଆଶଙ୍କା ପ୍ରକାଶ କରାଯାଇଛି। ଏହା ନିର୍ମାଣ ହେଲେ ଗ୍ରାମବାସୀଙ୍କ ଉପରେ ପ୍ରଦୂଷଣର ବିପଦ ଆହୁରି ବଢ଼ିପାରେ ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି।
ଅଭିଯୋଗରେ ନାଲକୋର ସିଏମ୍ଡି ଓ ପରିଚାଳନା ସହ ସ୍ଥାନୀୟ ପ୍ରଶାସନିକ କର୍ତ୍ତୃପକ୍ଷଙ୍କୁ ଚାଲୁଥିବା ପ୍ରଦୂଷଣ ପାଇଁ ଦାୟୀ କରାଯାଇଥିବା ଏନ୍ଏଚ୍ଆର୍ସିର ଚିଠିରେ ଉଲ୍ଲେଖ ରହିଛି।
ଅଭିଯୋଗକୁ ପର୍ଯ୍ୟାଲୋଚନା କରି ଏନ୍ଏଚ୍ଆର୍ସି ଏହାକୁ ଗୁରୁତର ମାନବାଧିକାର ଉଲ୍ଲଂଘନର ଅଭିଯୋଗ ବୋଲି ବିଚାର କରିଛନ୍ତି। ଏହା ସହ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନର ମୌଳିକ ଅଧିକାର ଉଲ୍ଲଂଘନ ହୋଇଥିବା ନେଇ ଅଭିଯୋଗ ଉଠିଥିବା ଆୟୋଗ ଉଲ୍ଲେଖ କରିଛନ୍ତି।
ଏହା ପରେ ଏନ୍ଏଚ୍ଆର୍ସି ରେଜିଷ୍ଟ୍ରିକୁ ଅଭିଯୋଗର ନକଲ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓ କୋରାପୁଟ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ପଠାଇ ଅଭିଯୋଗର ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏନ୍ଏଚ୍ଆର୍ସିର ଉପ ରେଜିଷ୍ଟ୍ରାର (ଆଇନ) ସ୍ପର୍ଶ ଅଗ୍ରୱାଲଙ୍କ ସ୍ୱାକ୍ଷରିତ ଚିଠିରେ ଏହି ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ କର୍ତ୍ତୃପକ୍ଷ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବେ।
ଏନ୍ଏଚ୍ଆର୍ସିର ଏହି ନିର୍ଦ୍ଦେଶ ପରେ ଡେଙ୍ଗାଜାନିଗୁଡ଼ା ଗ୍ରାମରେ କଥିତ ରେଡ୍ମଡ୍ ପ୍ରଦୂଷଣ ଓ ଏହାର ପ୍ରଭାବ ନେଇ ତଦନ୍ତ ହେବାର ବାଟ ଖୋଲିଛି। ଏବେ ତଦନ୍ତରେ ଅଭିଯୋଗର ସତ୍ୟତା କେତେ ତାହା ସ୍ପଷ୍ଟ ହେବା ସହ ଗ୍ରାମବାସୀଙ୍କ ଅଭିଯୋଗ ଉପରେ କେଉଁ ପଦକ୍ଷେପ ନିଆଯାଉଛି, ତାହା ଉପରେ ନଜର ରହିଛି।, କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
