ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ
ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ୍
ତା -୨୧/୬/୨୬(ଜିଲ୍ଳା ପ୍ରତିନିଧି ସଞ୍ଜୀବ କୁମାର ପତି ଙ୍କ ରିପୋର୍ଟ)
ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ସୁରୁଗୁଡା ସ୍ଥିତ ସିପିଜିପି ହାଇସ୍କୁଲ ପରିସରରେ ଏକ ବ୍ୟାପକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଯୋଗ ମାଧ୍ୟମରେ ସୁସ୍ଥ ଶରୀର, ସୁସ୍ଥ ମନ ଏବଂ ନିରୋଗ ଜୀବନ ଗଠନର ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲେଫ୍ରିପଡା ବିଡିଓ ଅତସୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଯୋଗର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସାଂସଦ ପ୍ରତିନିଧି ପଞ୍ଚଶିଲା ବାରିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉଦିତ କୁମାର ପଟେଲ ଏବଂ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଦୀପକ ଶର୍ମା ଯୋଗଦେଇ ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖାଯାଇପାରିବ ବୋଲି ମତ ରଖିଥିଲେ।
ଏହି ଅବସରରେ ପ୍ରଶିକ୍ଷିକା ମମତା ଆଚାର୍ଯ୍ୟ ଓ ସଂଘମିତ୍ରା ରଥ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ ଯୋଗାସନ, ପ୍ରାଣାୟାମ ଓ ଧ୍ୟାନ ପ୍ରଣାଳୀର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେମାନଙ୍କ ନିର୍ଦ୍ଦେଶନାରେ ସମସ୍ତେ ସମୂହ ଯୋଗାଭ୍ୟାସ କରିଥିଲେ। ଶିବିରରେ ବିଭିନ୍ନ ଏସଏଚଜି ଗ୍ରୁପର ସଭ୍ୟା, ସିଆରପି, ଏମବିକେ, ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ମିଶାଇ ପ୍ରାୟ ତିନି ଶହରୁ ଅଧିକ ଲୋକ ସାମିଲ ହୋଇଥିଲେ। ଯୋଗ ଦ୍ୱାରା ଶାରୀରିକ ସୁସ୍ଥତା ସହ ମାନସିକ ଏକାଗ୍ରତା, ଆତ୍ମବିଶ୍ୱାସ ଓ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ପାଉଥିବା ନେଇ ବକ୍ତାମାନେ ମତ ରଖିଥିଲେ। ଶେଷରେ ସମସ୍ତେ ନିୟମିତ ଭାବେ ଯୋଗାଭ୍ୟାସ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ସଚେତନ କରିବାକୁ ସଂକଳ୍ପ ନେଇଥିଲେ। ଏହି ଯୋଗ ଶିବିର ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଦିଗରେ ଏକ ସଫଳ ପ୍ରୟାସ ଭାବେ ପରିଗଣିତ ହୋଇଛି।
ବାଇଟ – ସଂଘମିତ୍ରା ରଥ, ପ୍ରଶିକ୍ଷିକା
ବାଇଟ – ଅତସୀ ପରିଡା, ବିଡ଼ିଓ
