ବିଦ୍ୟୁତ୍ ସ୍ବାଡ୍ର ଚଢ଼ଉକୁ ନେଇ ଉତ୍ତେଜନା।
(ନିପ୍ର ଗୋକୁଳାନନ୍ଦ ବେହେରା )ଢ଼େଙ୍କାନାଳ ଭୁବନ : ବିଦ୍ୟୁତ ଅପବ୍ୟୟ ନେଇ ସୂଚନା ପାଇ ଟାଟା ପାୱାର ବିଦ୍ୟୁତ୍ ସ୍ବାଡ୍ର ପକ୍ଷରୁ ଚଢ଼ଉବେଳେ ଗ୍ରାମବାସୀ ଓ ବିଦ୍ୟୁତ୍ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇ ଥାନାରେ ଏତଲା ହୋଇଛି। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ବାରୁଆଁ ପଞ୍ଚାୟତ ମଠଖୋକସା ଗ୍ରାମରେ । ମଙ୍ଗବାର ଦିନ ପ୍ରାୟ ୧୨ଟା ସମୟରେ ଗ୍ରାମର ନିଶା ନାୟକଙ୍କ ଘରେ କେହି ନଥିବା ବେଳେ ହଠାତ୍ ବିଦ୍ୟୁତ୍ ବିଭାଗର ସ୍ବାଡ୍ର ୫ ଜଣ ସଦସ୍ୟ ତାଙ୍କ ଘରକୁ ପଶି ମିଟରର ଭିଡିଓ ସୁଟିଂ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଏହି ସମୟରେ ସେ ଗାଧୁଆ ଘରୁ ବାହାରିବା ବେଳେ ମଧ୍ୟ ତାଙ୍କର ଭିଡିଓ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଯାହାକୁ ସେ ବାରଣ କରିବାରୁ ତାଙ୍କ ସହ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ଶୁଣି ପଡ଼ୋଶୀ ରୁଣ୍ଡ ହୋଇ ବିଦ୍ୟୁତ୍ ସ୍ବାଡ୍ରଙ୍କୁ ନେଇ ଗାଁର ଉତ୍ତର ଦିଗରେ ଥିବା ଅସୁରକ୍ଷିତ ଟ୍ରାନ୍ସଫର୍ମର ଦେଖାଇଥିଲେ। ଯେଉଁଠାରେ ପୂର୍ବରୁ ୪ଟି ଗାଈ ଓ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ଗ୍ରାମବାସୀ ଏହାକୁ ଦେଖାଇବାବେଳେ ବିଦ୍ଯୁତ୍ କର୍ମଚାରୀ କହିଥିଲେ,ଏହା ଆମ କାମ ନୁହେଁ,ମେଣ୍ଟେନାନ୍ସ ବିଭାଗ କାର୍ଯ୍ୟା ଗ୍ରାମର କେତେକ ବ୍ୟକ୍ତିଙ୍କ ନାମରେ ବିଦ୍ୟୁତ୍ ଅପବ୍ୟୟ କେସ୍ ଏବଂ ଚଢ଼ଉ କରାଯିବାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉଭୟ ପକ୍ଷ ଥାନାରେ ଆଶ୍ରୟ ନେଇଥିଲେ। ଗୁରୁବାର ଭୁବନ ଥାନାରେ ଗ୍ରାମର ୨ ଶହ ଲୋକ ଏବଂ ବିଦ୍ୟୁତ୍ କର୍ମଚାରୀ ଆପୋଷ ମିଳାମିଶା ପାଇଁ ବସିଥିଲେ। ଉଭୟ ପକ୍ଷ ନିଜ ଜିଦ୍ରେ ଅଟଳ ରହିବାରୁ ଆଲୋଚନା ବିଫଳ ହୋଇଥିଲା। ଏତଲାକୁ ଭିତ୍ତି କରି ତଦନ୍ତ ଜାରି ରହିଛି।
