*ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ*
*ଜୈବିକ ଓ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ଦିଗରେ ଗୁରୁତ୍ୱାରୋପ*
ବରଗଡ଼, .୧୮.୦୬.(ନି ପ୍ର )ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ରାଜ୍ୟରେ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ପରିପ୍ରେକ୍ଷୀରେ ଆଜି ବରଗଡ଼ ଜିଲ୍ଲା ସ୍ତରରେ “ଜୈବିକ ଓ ପ୍ରାକୃତିକ କୃଷି କର୍ମଶାଳା” ସ୍ଥାନୀୟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ମାନ୍ୟବର ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୈବିକ ଓ ପ୍ରାକୃତିକ କୃଷିର ପ୍ରସାର ମାଧ୍ୟମରେ ବରଗଡ଼ ଜିଲ୍ଲାକୁ ଏକ ବିଷମୁକ୍ତ ଓ ସୁସ୍ଥ କୃଷି ବ୍ୟବସ୍ଥାର ଦୃଷ୍ଟାନ୍ତମୂଳକ ଜିଲ୍ଲାରେ ପରିଣତ କରିବାକୁ ଚାଷୀମାନଙ୍କୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ଜୈବିକ ଓ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଚଳିତ ବର୍ଷ ପଦ୍ମପୁର, ଝାରବନ୍ଧ, ଗାଇସିଲେଟ, ପାଇକମାଳ ଓ ବରଗଡ଼ ବ୍ଲକକୁ ଏହି କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି। ସେହିପରି “ଅମୃତ ଅନ୍ନ” ଯୋଜନାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଠଭୋଗ ନିମନ୍ତେ ବରଗଡ଼ ଜିଲ୍ଲାକୁ ଚୟନ କରାଯାଇଥିବା ଜିଲ୍ଲା ପାଇଁ ଗୌରବର ବିଷୟ ବୋଲି ସେ ମତ ପ୍ରକାଶ କରିଥିଲେ।
ବରଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାସାୟନିକ ସାର ଓ କୀଟନାଶକର ବ୍ୟବହାର ହ୍ରାସ କରି ଜୈବିକ ସାର ଏବଂ ଜୈବ କୀଟନାଶକର ବ୍ୟବହାର ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଜୈବିକ ଓ ପ୍ରାକୃତିକ କୃଷିକୁ ଆପଣେଇ ସୁସ୍ଥ ଜୀବନଶୈଳୀ ଏବଂ ସୁରକ୍ଷିତ ଖାଦ୍ୟ ବ୍ୟବସ୍ଥା ଗଠନ ଦିଗରେ ସମସ୍ତଙ୍କ ସହଭାଗିତାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ ।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଲୋଚନ ଚନ୍ଦ୍ର ମାଝୀଙ୍କ ସମେତ ସହକାରୀ କୃଷି ନିର୍ଦ୍ଦେଶକ ଡ଼. ଅଞ୍ଜନ କୁମାର ନାୟକ କର୍ମଶାଳାର ଉଦ୍ଦେଶ୍ୟ ଏବଂ ଜୈବିକ କୃଷି କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଶ୍ରୀ ନୃସିଂହ ଚରଣ ବାରିକ ଏବଂ କୃଷି ଅଧିକାରୀ, ପଦ୍ମପୁର ଶ୍ରୀ ପ୍ରଭାସ ଚନ୍ଦ୍ର ପଣ୍ଡା ଜୈବିକ ଓ ପ୍ରାକୃତିକ କୃଷିର ବୈଜ୍ଞାନିକ ପଦ୍ଧତି, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ଜୈବିକ ସାର ଓ ଜୈବ କୀଟନାଶକ ବ୍ୟବହାର ଆଦି ବିଷୟରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀମାନଙ୍କୁ ବୈଷୟିକ ତାଲିମ ପ୍ରଦାନ କରିଥିଲେ।ଏହି ଅବସରରେ ଜୈବିକ କୃଷିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଝାରବନ୍ଧ ବ୍ଲକର ଶ୍ରୀ ମଳୟ ପ୍ରଧାନ, ପଦ୍ମପୁର ବ୍ଲକର ଶ୍ରୀ ଅନନ୍ତ ମୁରାରୀ ହୋତା, ପାଇକମାଳ ବ୍ଲକର ଶ୍ରୀମତୀ କମଳା ବିଝି, ଗାଇସିଲେଟ ବ୍ଲକର ଶ୍ରୀ ଭଗବାନ ସାହୁ ଏବଂ ବରଗଡ଼ ବ୍ଲକର ଶ୍ରୀ ବିନୋଦ ସାହୁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
