୨ ବାଇକ୍ ମୁହାଁମୁହିଁ, ୨ଭାଇ ମୃତ, ଜଣେ ଗୁରୁତର
ଆଗରପଡ଼ା,(ନିପ୍ର) ବୁଧବାର ଅପରାହ୍ନ ସମୟରେ ବାଇକ୍ ଯୋଗେଁ ୩ଭାଇ ସାଙ୍ଗରେ ଘରକୁ ଫେରୁଥିବା ବେଳେ ସାମ୍ନା ପଟୁ ଅନ୍ୟ ଏକ ବାଇକ୍ ଦ୍ରୃତଗତିରେ ଆସି ବାଡ଼େଇବାରୁ ଘଟଣାସ୍ଥଳରେ ୨ ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଭାଇ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବାର ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁଯାୟୀ,ଆଗରପଡ଼ା ଥାନା ଅନ୍ତର୍ଗତ ଗୋପିନାଥପୁର ପଞ୍ଚାୟତର ତାଜିପୁର ଗ୍ରାମର ରବିନ୍ଦ୍ର ଜେନାଙ୍କ ୩ ପୁଅ କୌଣସି କାର୍ଯ୍ୟ ପାଇଁ ବାଇକ୍ ଯୋଗେଁ ଆନନ୍ଦପୁର ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ବଞ୍ଚୋ.ଛକ ନିକଟରେ ଅପରପାର୍ଶ୍ଵରୁ ଦ୍ରୁତଗତିରେ ଅନ୍ୟ ଏକ ବାଇକ୍ ଆସି ସାମ୍ନା ପଟୁ ଏହି ବାଇକ୍ କୁ ଧକ୍କା ଦେଇଥିଲା । ଯଦ୍ଦ୍ଵାରା ଏହି ୩ଭାଇ ବାଇକ୍ ରୁ ଛିଟିକି ପଡ଼ିଥିଲେ । ଏହା ଦେଖି ଲୋକମାନେ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ । ମାତ୍ର ଘଟଣାସ୍ଥଳରେ କେଶବ(୩୫) ଓ ତାଙ୍କ ଭାଇ ଶିବ(୩୨)ଙ୍କର ମୃତ୍ୟୁ ଘଟିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ଅନ୍ୟ ଏକ ଭାଇ ଲକ୍ଷ୍ମଣ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବାର ପରିବାର ସୂତ୍ରରୁ ଜଣାପଡ଼ିଛି। ମୃତ କେଶବଙ୍କ ୨ଟି ପିଲା ଅଛନ୍ତି ଓ ଶିବ ଗତ କିଛିଦିନ ତଳେ ବିବାହ କରିଥିଲେ । ମୃତ ଶରୀର ଗାଁରେ ପହଁଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏହି ଖବର ପାଇ ଭଦ୍ରକ ଜିଲ୍ଲାପରିଷଦ ଅଧ୍ଯକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ସରପଞ୍ଚ ସବିତା ନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଁଞ୍ଚି ମରଶରୀରକୁ ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ୨ଭାଇଙ୍କ ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
