ଭୁବନେଶ୍ବର ଜୟଦେବ ବିହାର
୧୪/୦୬/୨୬/(ରିପୋର୍ଟ୍ : ଜୀବନ ଜ୍ୟୋତି ରଣା)
ଆରୋହଣ ଟ୍ରଷ୍ଟ ଓ କ୍ୟାଲିନେଟ୍ର ମିଳିତ ଆୟୋଜନରେ ଆଜି ଜୟଦେବ ବିହାର ସ୍ଥିତ ଏନ୍-୬ ବିଡିଏ ପାର୍କ, ରେ ତିନିଦିନିଆ “ରଜ ମଉଜ ୨୦୨୬” ମହୋତ୍ସବ ଧୁମଧାମରେ ଉଦ୍ଘାଟିତ ହୋଇଯାଇଛି। ଓଡ଼ିଶାର ଲୋକପର୍ବ ରଜର ଉତ୍ସାହ, ପରମ୍ପରା ଓ ସାଂସ୍କୃତିକ ଗୌରବକୁ ନେଇ ଆୟୋଜିତ ଏହି ଉତ୍ସବରେ ପ୍ରଥମ ଦିନରୁ ରାଜଧାନୀବାସୀଙ୍କ ଉତ୍ସାହଜନକ ସମାଗମ ଦେଖିବାକୁ ମିଳିଥିଲା।
ଏହି ଉତ୍ସବକୁ ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ଭାଇ, ରାମେଶ୍ୱର ମନ୍ଦିର ସାଂସ୍କୃତିକ ପରିଷଦର ସଦସ୍ୟବୃନ୍ଦ, ବରିଷ୍ଠ ନାଗରିକ ସଂଘ, ଏନ୍-୫ ଉନ୍ନୟନ ପରିଷଦ, ଜୟଦେବ ବିହାର ଭଗବତୀ ମନ୍ଦିର କମିଟି, ଶ୍ରୀ ରାମେଶ୍ୱର ମହିଳା ସମିତି, ଜୟଦେବ ବିହାରର ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବର୍ଗ ଏବଂ ସମାଜସେବୀମାନେ ଉପସ୍ଥିତ ଥିଲେ।
ଉଦ୍ଘାଟନୀ ସମାରୋହରେ ରଙ୍ଗାରଙ୍ଗ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମେଳା ପରିସରରେ ମୀନା ବଜାର, ଖାଦ୍ୟ ଷ୍ଟଲ ଓ ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଲୋକଙ୍କ ମନ ଜିତିଥିଲା। ଶିଶୁମାନଙ୍କ ପାଇଁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ବହୁ ସଂଖ୍ୟକ କୁନି ପ୍ରତିଭା ଅଂଶଗ୍ରହଣ କରିଥିଲେ। ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଶିଶୁମାନଙ୍କ ସହ ମିଶି ସେମାନଙ୍କର ସୃଜନଶୀଳତାକୁ ଉତ୍ସାହିତ କରିଥିଲେ। ସେ ବରିଷ୍ଠ ନାଗରିକମାନଙ୍କ ସହ ମଧ୍ୟ ଆଲୋଚନା କରି ସେମାନଙ୍କର ମତାମତ ଶୁଣିଥିଲେ।
ପ୍ରଥମ ଦିନରେ ୩୦୦ରୁ ଅଧିକ ଲୋକଙ୍କ ସମାଗମ ଘଟିଥିଲା ଏବଂ ସମଗ୍ର ପରିସରରେ ରଜର ଉତ୍ସବମୁଖର ପରିବେଶ ପରିଲକ୍ଷିତ ହୋଇଥିଲା। ଆସନ୍ତା ଦୁଇ ଦିନ ଧରି ଗୀତ, ନୃତ୍ୟ, ମ୍ୟୁଜିକାଲ ଚେୟାର, ରଙ୍ଗୋଲି, ଶିଶୁ ଫ୍ୟାଶନ ଶୋ, ମିସ୍ ଏବଂ ମିସେସ୍ ରଜ ପ୍ରତିଯୋଗିତା ସହ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉତ୍ସବର ସମାପନୀ ସମାରୋହ ୧୬ ଜୁନରେ ଅନୁଷ୍ଠିତ ହେବ।
