(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରଣମାଳ କୃଷି ସମବାୟ ସମିତି ଅଧୀନରେ ଥିବା ବିଭିନ୍ନ ମଣ୍ଡିରେ ଦେଖାଦେଇଥିବା ଚରମ ଅବ୍ୟବସ୍ଥାକୁ ନେଇ ଆଜି ଚାଷୀମାନେ ରଣମାଳ ମଣ୍ଡିଠାରେ ଏକ ବିଶାଳ ଗଣଧାରଣା ଦେଇଛନ୍ତି।
1. ମିଲର୍ସ ପର୍ଯ୍ୟାପ୍ତ ଗାଡ଼ି ପଠାଉ ନଥିବାରୁ ମଣ୍ଡିରେ ପଡ଼ିରହିଛି ହଜାର ହଜାର କ୍ଵିଣ୍ଟାଲ ଧାନ
2. ଟୋକନ୍ ଅବଧି ସରି ଆସୁଥିଲେ ସୁଦ୍ଧା ଧାନ ଉଠୁନାହିଁ, ଚାଷୀଙ୍କୁ ମିଳୁନି ଅଖା ବସ୍ତା।
3. ପାଗ ପରିବର୍ତ୍ତନ ଯୋଗୁଁ ବର୍ଷା ଭୟରେ ଚାଷୀ ରଣମାଳ ସମବାୟ ସମିତି ଅଧୀନରେ ଥିବା ମଣ୍ଡିଗୁଡ଼ିକରୁ ଧାନ ଉଠାଇବା ପାଇଁ ମିଲର୍ସମାନେ ଆବଶ୍ୟକ ପରିମାଣର ଗାଡ଼ି ପଠାଉ ନାହାନ୍ତି। ଯାହା ଫଳରେ ଚାଷୀଙ୍କ କଷ୍ଟଅର୍ଜିତ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି।
ଅପରପକ୍ଷରେ, ଧାନ ବିକ୍ରି ପାଇଁ ଆସିଥିବା ଟୋକନର ଅବଧି ମଧ୍ୟ ସରି ସରି ଆସୁଛି। ଏହା ସହିତ ଚାଷୀଙ୍କୁ ଧାନ ରଖିବା ପାଇଁ ଅଖା ବସ୍ତା ମଧ୍ୟ ମିଳୁ ନଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ବର୍ଷା ପାଗ ହେଉଥିବାରୁ ଧାନ ନଷ୍ଟ ହୋଇଯିବା ଭୟରେ ଚାଷୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି ସବୁ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ଆଜି ରଣମାଳ ଚାଷୀମାନେ ଗଣଧାରଣା ଦେଇଛନ୍ତି।
ଚାଷୀଙ୍କ ଏହି ଆନ୍ଦୋଳନ ସମ୍ପର୍କରେ ଖବର ପାଇ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ତୁରନ୍ତ ରଣମାଳ ମଣ୍ଡି ଧାରଣା ସ୍ଥଳରେ ପହଞ୍ଚିଥିଲେ। ସେ ସେଠାରେ ଉତ୍ତ୍ୟକ୍ତ ଚାଷୀ ଭାଇମାନଙ୍କ ସହ ସେମାନଙ୍କ ସମସ୍ୟା ବାବଦରେ ପଚାରି ବୁଝିଥିଲେ। ଏହା ସହ ପ୍ରଶାସନ ଓ ମିଲର୍ସଙ୍କ ସହ ଆଲୋଚନା କରି କିଭଳି ଖୁବ୍ ଶୀଘ୍ର ମଣ୍ଡିରୁ ଧାନ ଉଠାଯିବ ଏବଂ ଚାଷୀଙ୍କୁ ଉପଯୁକ୍ତ ସୁବିଧା ମିଳିବ, ସେନେଇ ସମାଧାନର ବାଟ ଚାଷୀଙ୍କୁ ବୁଝାଇ କହିଥିଲେ। ବିଧାୟକଙ୍କ ଆଶ୍ୱାସନା ପରେ ଚାଷୀଙ୍କ ମଧ୍ୟରେ କିଛିଟା ଆଶା ସଞ୍ଚାର ହୋଇଛି।
