ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଦେବଗଡ଼, ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିଥିଲେ ଏବଂ ସେଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।
ଶିବିରରେ ମୋଟ ୩୧ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ସେଥିରୁ ୨୪ଟି ବ୍ୟକ୍ତିଗତ ଏବଂ ୭ଟି ସାମୂହିକ ଅଭିଯୋଗ ଥିଲା। ବିଦ୍ୟୁତ୍ ଯୋଗାଣ ସମସ୍ୟା, ଜମିଜମା ବିବାଦ, ଭିନ୍ନକ୍ଷମ ଭତ୍ତା ପ୍ରଦାନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଞ୍ଜୁରୀ ସମ୍ବନ୍ଧୀୟ ଅଭିଯୋଗ ପ୍ରମୁଖ ଭାବେ ଉଠିଥିଲା। ଜିଲ୍ଲାପାଳ ଅଭିଯୋଗଗୁଡ଼ିକର ଗୁରୁତ୍ୱକୁ ବିଚାର କରି ସମ୍ପୃକ୍ତ ବିଭାଗକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ, ବନଖଣ୍ଡ ଅଧିକାରୀ ରଶ୍ମି ଜି., ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଦିଲୀପ କୁମାର ପ୍ରଧାନ, ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର, ରିଆମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଦିତ୍ୟ କୁମାର ପଣ୍ଡା, ତହସିଲଦାର ବିଜୟଲକ୍ଷ୍ମୀ ନାୟକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ମାଧ୍ୟମରେ ସାଧାରଣ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।
