ସୋର(ଜ୍ୟୋତି ପ୍ରକାଶ ଦିକ୍ଷିତ): ସୋର ବ୍ଲକ ନଟାପଡ଼ା ପଞ୍ଚାୟତ ରାଧାବଲ୍ଲଭପୁର ଗ୍ରାମରେ ଶୀତଳ ଷଷ୍ଠୀ ଅବସରରେ ଶିବ ପାର୍ବତୀଙ୍କର ବିବାହ ଉତ୍ସବ ପାଳିତ ହୋଇଯାଇଛି। ଯଂଗେଶ୍ୱରାୟ ମହାଦେବଙ୍କର ବିବାହ ଉତ୍ସବ ପାଇଁ ବର ପିତା ରୂପେ ତପନ କୁମାର ବେହେରା, ମାତା ସଂନ୍ଧ୍ୟାରାଣୀ ନାୟକ, କନ୍ୟା ପିତା ପ୍ରଦୀପ ସାହୁ, ମାତା ସସ୍ମିତା ରାଣୀ ସାହୁ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ଗ୍ରାମବାସୀମାନେ ବରଯାତ୍ରୀଙ୍କ ସହ ବାହାରି ୪ ଖଣ୍ଡ ଗ୍ରାମରେ ମହାଦେବଙ୍କୁ ରୋଷଣୀ ଶୋଭାଯାତ୍ରା କରି ବହୁ ଶ୍ରଦ୍ଧାଳୁ ମହାଦେବଙ୍କ ବିବାହ ଉତ୍ସବରେ ଦିବ୍ୟ ପୁଲକ ଅନୁଭବ ପାଇଥିଲେ। ବିବାହ କାର୍ଯ୍ୟ ରାତି ୧୧ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ବିବାହ କାର୍ଯ୍ୟକ୍ରମକୁ ପୂଜକ ଭାବେ ମିହିର ପାଣିଗ୍ରାହୀ ଭକ୍ତି ଚିତ୍ତରେ ନିଜ କର କମଳରେ ସମ୍ପାଦିତ କରିଥିଲେ।ଶେଷରେ ବିଭିନ୍ନ ବୈବାହିକ ରୀତିନୀତି ପରେ ବିବାହ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ନଟାପଡ଼ା, ବାରପଡ଼ା, ବଡ଼ଖୁଡୀ, ରଙ୍ଗପତି, ରାଧାବଲ୍ଲଭପୁର ପ୍ରଭୃତି ବିଭିନ୍ନ ଗ୍ରାମର ୧୦୦୦ ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବିବାହ ଭୋଜିରେ ଆନନ୍ଦ ମନରେ ପ୍ରସାଦ ସେବନ କରିଥିଲେ। ରାଧାବଲ୍ଲଭପୁରର ଶିବ-ପାର୍ବତୀ ବିବାହ ଉତ୍ସବ ୨୦୦୭ ମସିହାରୁ ଅନୁଷ୍ଠିତ ହୋଇ ଆସୁଛି ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ। ଏହି ପବିତ୍ର ବିବାହ କାର୍ଯ୍ୟକ୍ରମକରେ ରାଧାବଲ୍ଲଭପୁରର ବହୁ ଯୁବକ ସାହାଯ୍ୟ ସହଯୋଗ କରି ନିଜକୁ ଧନ୍ୟ ମନେ କରିଥିଲେ।
