ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଦେବଗଡ଼,
ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ତ୍ୱରିତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରିଥିଲେ।
ଶିବିରରେ ମୋଟ ୪୮ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୧ଟି ବ୍ୟକ୍ତିଗତ ଏବଂ ୧୭ଟି ସାମୂହିକ ଅଭିଯୋଗ ଥିଲା। ଅଭିଯୋଗଗୁଡ଼ିକ ମଧ୍ୟରେ ଜମିବାଡ଼ି ବିବାଦ, ପାନୀୟ ଜଳ ସମସ୍ୟା, ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଦ୍ୟୁତ ସଂଯୋଗୀକରଣ ସମ୍ବନ୍ଧୀୟ ବିଷୟ ପ୍ରମୁଖ ଥିଲା।
ଜିଲ୍ଲାପାଳ ଶ୍ରୀ ସାହୁ ପ୍ରତ୍ୟେକ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣିବା ସହ ଯଥାଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ତତ୍କାଳ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଦିଲୀପ କୁମାର ପ୍ରଧାନ, ଏସିଏଫ୍ ସ୍ୱାଧୀନତା ସାହାଣୀ, ଡେପୁଟି କଲେକ୍ଟର ଲକ୍ଷ୍ମଣ ଅମାତ, ଡେପୁଟି କଲେକ୍ଟର ସୌମ୍ୟା ସୁଚିସ୍ମିତା, ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂ, ତହସିଲଦାର କର୍ଣ୍ଣ ମଲିକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଜନସାଧାରଣଙ୍କ ସମସ୍ୟାର ସିଧାସଳଖ ଶୁଣାଣି ଓ ତ୍ୱରିତ ସମାଧାନ ଦିଗରେ ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଏକ ଫଳପ୍ରଦ ପଦକ୍ଷେପ ଭାବେ ପରିଗଣିତ ହୋଇଛି।
