ସୋର ହିନ୍ଦୁ ସମାଜର ଚେତାବନୀ: ୧୫ ଦିନରେ ତଦନ୍ତ ନହେଲେ ବଡ଼ ଆନ୍ଦୋଳନ!
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ରାସ୍ତା ଅବରୋଧ କାରଣରୁ ଉତ୍ତେଜନା ଓ ଏହାର ନିରପେକ୍ଷ ତଦନ୍ତ ଦାବି କରି ଆଜି ଅପରାହ୍ନରେ ସୋର ଷ୍ଟେସନ ଛକସ୍ଥିତ ରୟାଲ ହୋଟେଲ ପରିସରରେ ସମଗ୍ର ହିନ୍ଦୁ ସମାଜ ସୋର ଶାଖା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆବାହକ ପ୍ରହଲ୍ଲାଦ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ ତାରିଖରେ ଇଦଉଲଜୁହା ଅବସରରେ ସୋର ଇଦଘା ପଡିଆରେ ରାସ୍ତାର ଗୋଟିଏ ପାଶ୍ୱର୍କୁ ଅବରୋଧ କରି ନମାଜ ପାଠ କରାଯାଇଥିଲା। ନମାଜ ପାଠ ପରେ ଭିଡକୁ ନଜରରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ସୋର ଡାକ୍ତରଖାନା ଛକ ଓ କୋର୍ଟ ଛକକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରାଯାଇଥିଲା। ଏହି ସମୟରେ ଯାତାୟତକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଫଳରେ ଉଭୟଙ୍କ ଗୋଷ୍ଠୀଙ୍କ ମଧ୍ୟରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ସମୟରେ ପୁଲିସ ସେଠାରେ ଉପସ୍ଥିତ ଥିବା ମନିଷ ଗୁପ୍ତାଙ୍କୁ ଥାନାରେ କିଛି ସମୟ ପାଇଁ ଅଟକ ରଖିଥିବା ବେଳେ ବାଲେଶ୍ୱର ଏସ୍ପି ପ୍ରତ୍ୟୁଷ ଦିବାକର ଓ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା। ମାତ୍ର ଏହି ଘଟଣାରେ ପୁଲିସ ପକ୍ଷପାତିତା କରିବା ସହିତ ମନିଷ ଗୁପ୍ତାଙ୍କ ନାମରେ ମିଛ ମାମଲା ରୁଜୁ କରିବା, ରାସ୍ତା ବନ୍ଦ କରି ନମାଜ ପାଠ କରିବାକୁ ଅନୁମତି ଦେବା ଓ ଇଦ ପୁର୍ବରୁ ଶାନ୍ତି କମିଟି ବୈଠକ ନକରିବାକୁ ପ୍ରତିବାଦ କରି ଆଜି ଅପରାହ୍ନରେ ସମଗ୍ର ହିନ୍ଦୁ ସମାଜ ସୋର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଥିଲା।ଆଗାମୀ ୧୫ ଦିନ ମଧ୍ୟରେ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆନଗଲେ ସମଗ୍ର ହିନ୍ଦୁ ସମାଜ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି। ଏନେଇ ସୋର ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ଅଧିକାରୀ ଓ ଭଦ୍ରକ ଏବଂ ବାଲେଶ୍ୱର ସାଂସଦଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
