**ନୂଆପଡ଼ାରେ ସିଏମ୍ ଟ୍ରଫି ଜିଲ୍ଲାସ୍ତରୀୟ ଫୁଟବଲ୍ ଚାମ୍ପିୟନଶିପ୍ ଉଦଯାପିତl ଯୁବଶକ୍ତିକୁ କ୍ରୀଡ଼ା ମାଧ୍ୟମରେ ସଶକ୍ତ କରିବା ଆବଶ୍ୟକ: ଜିଲ୍ଲାପାଳ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୨୯/୦୫
ସିଏମ୍ ଟ୍ରଫି-୨୦୨୬ ଜିଲ୍ଲାସ୍ତରୀୟ ଫୁଟବଲ୍ ଚାମ୍ପିୟନଶିପ୍ର ସମାପନ ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ନିଜ ବକ୍ତବ୍ୟରେ ଜିଲ୍ଲାପାଳ କହିଥିଲେ ଯେ, ବର୍ତ୍ତମାନର କର୍ମଚଞ୍ଚଳ ଓ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମେ ଯଦି ପ୍ରତିଦିନ କିଛି ସମୟ ନିଜ ସ୍ୱାସ୍ଥ୍ୟ ଓ ଶାରୀରିକ ବ୍ୟାୟାମ ପାଇଁ ବ୍ୟୟ କରିବା, ତେବେ ଭବିଷ୍ୟତରେ ଅନେକ ରୋଗବ୍ୟାଧିରୁ ଦୂରେଇ ରହିପାରିବା। ଯୁବାବସ୍ଥା ଜୀବନର ଏକ ମୂଲ୍ୟବାନ ସମୟ ହୋଇଥିବାରୁ ଏହାକୁ କ୍ରୀଡ଼ା କ୍ଷେତ୍ରରେ ସଦୁପଯୋଗ କରି ଯୁବପିଢ଼ି ନିଜକୁ ଜଣେ ସଫଳ କ୍ରୀଡ଼ାବିତ ଭାବେ ଗଢ଼ି ତୋଳିପାରିବେ। ସେ ସମସ୍ତ ପ୍ରତିଯୋଗୀଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଜୋନାଲ୍ ପ୍ରତିଯୋଗିତା ପାଇଁ ଶୁଭକାମନା ଜଣାଇଥିଲେ।ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ନିଜ ବକ୍ତବ୍ୟରେ କହିଥିଲେ ଯେ, ଜିଲ୍ଲାରେ ୧୭ଟି କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରାଯାଇ ଏକ ଉଦାହରଣ ସୃଷ୍ଟି କରାଯାଇଛି। ଖେଳ ଶିକ୍ଷକ ଓ ବରିଷ୍ଠ ଖେଳାଳିମାନଙ୍କର ନିଷ୍ଠା, କଠିନ ପରିଶ୍ରମ ଏବଂ ସହଯୋଗ ଯୋଗୁଁ ଏହି ଚାମ୍ପିୟନଶିପ୍ ସଫଳତାର ସହ ସମାପନ ହୋଇପାରିଛି। ବାଳକ ବିଭାଗରେ ୭ଟି ଏବଂ ବାଳିକା ବିଭାଗରେ ୬ଟି ଦଳ ଅନଲାଇନ୍ ପଞ୍ଜୀକରଣ କରି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାରୁ ସେ ସମସ୍ତ ଦଳକୁ ଅଭିନନ୍ଦନ ଜଣାଇଥିଲେ।
ଓଡ଼ିଶା ଫୁଟବଲ୍ ଆସୋସିଏସନ୍ର ନିର୍ଦ୍ଦେଶାନୁସାରେ ଲିଗ୍ ପ୍ରଣାଳୀରେ ଏହି ଚାମ୍ପିୟନଶିପ୍ ଆୟୋଜିତ ହୋଇଥିଲା। ବାଳକ ବିଭାଗରେ ବାଞ୍ଜିବାହାଲ ଏଫ୍.ସି. ଦଳ ଚାମ୍ପିୟନ୍ ହୋଇଥିବା ବେଳେ ପତାଳଗଙ୍ଗା ଏଫ୍.ସି. ଦଳ ରନର୍ସଅପ୍ ସ୍ଥାନ ଅଧିକାର କରିଥିଲା। ସେହିପରି ୧୪ ବର୍ଷରୁ କମ୍ ବାଳିକା ବିଭାଗରେ ବାଞ୍ଜିବାହାଲ ଫୁଟବଲ୍ ଦଳ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ନୂଆପଡ଼ା ଏଫ୍.ସି. ଦଳ ଦ୍ୱିତୀୟ ସ୍ଥାନ ଅର୍ଜନ କରିଥିଲା।ପ୍ରତିଯୋଗିତାର ସମସ୍ତ ମ୍ୟାଚ୍ ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ଦ୍ୱାରା ପ୍ରେରିତ ଅଭିଜ୍ଞ ରେଫରୀ ଓ ଖେଳ ପରିଚାଳକମାନଙ୍କ ଦ୍ୱାରା ସୁଚାରୁ ରୂପେ ପରିଚାଳିତ ହୋଇଥିଲା।ଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ଉପସ୍ଥିତ ସମସ୍ତ ଖେଳାଳି, ଅଭିଭାବକ, ଖେଳ ଆୟୋଜକ, ଦର୍ଶକ, ପ୍ରେସ ଓ ଇଲେକ୍ଟ୍ରୋନିକ୍ ମିଡିଆ ପ୍ରତିନିଧି, ରେଫରୀ ଏବଂ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
