ସୋରରେ ଶାନ୍ତି ଶୃଙ୍ଖଳା ସହିତ ଇଦ୍ ପାଳିତ
ସୋର(ସୋର, ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ): ସୋରରେ ଇଦ-ଉଲ-ଜୁହା ଶାନ୍ତି ଶୃଙ୍ଖଳା ସହିତ ପାଳନ ହୋଇଯାଇଛି। ସୋର ପୌରପାଳିକା ଅନ୍ତର୍ଗତ ଇଦଘା ପଡିଆରେ ମୁସଲିମ ସମ୍ପ୍ରଦାୟ ତରଫରୁ ଇଦ ଉଲ ଜୁହା ପାଳନ ହୋଇଯାଇଛି। ଏହି ଅବସରରେ ଏକ ସମୂହ ନମାଜ ପାଠ ସହିତ ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇଥିଲେ । ପଠାଣ ମହଲା ମସଜିଦର ମୌଲାନା ଶ୍ରଦ୍ଧାଳୁମାନଙ୍କୁ ନମାଜ ପାଠ କରାଇଥିଲେ। ସେହିଭଳି ସକାଳ ୯.୩୦ ରେ ପଠାଣ ମହଲା ଓ କାଜି ମହଲା ମସଜିଦରେ ନମାଜ ପାଠ କରାଯାଇଥିଲା। ନମାଜ ପାଠ ସରିବା ପରେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ଘରକୁ ଯାଇ ସୁସ୍ୱାଦୁ ଖାଦ୍ୟ ଗ୍ରହଣ କରିଥିଲେ। ଏଥିରେ ପାର ମହଲା, ପଠାଣ ମହଲା,କାଶୀପୁର,ଖପରା ନାଳ,ଛତ୍ରପୁର,ମୋଦି ନଗର ଇଟୁଆ ଆଦି ଅଂଚଳ ଓ ସୋର ବ୍ଲକ ପାଖର ପଂଚାୟତ ବେଲପୁର କାନ୍ଥି ଗଡ଼ିଆ ଅଂଚଳର ମୁସଲମାନ ଭାଇ ମାନେ ବେଲପୁର ନମାଜ ପାଠରେ ସାମିଲ ହୋଥିଲେ। ନମାଜ ପାଠ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୪ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯିବା ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ନମାଜ ପାଠ ଶେଷ ହେବା ପରେ ଡାକ୍ତରଖାନା ଛକରେ ରାସ୍ତା ଜାମ କାରଣରୁ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ବାଲେଶ୍ୱର ଏସପି ପ୍ରତ୍ୟୁଷ ଦିବାକର ଓ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀଙ୍କ ହସ୍ତକ୍ଷେପ ପରେ ପରିବେଶ ଶାନ୍ତ ପଡିଥିବା ଜଣାପଡିଛି। ଏ ନେଇ ସୋର ଥାନାରେ ସାଂସଦ ନିଜ ପ୍ରତିକ୍ରିୟାରେ ସୋର ଏକ ଭାଇଚାରାର ସହର ଏଣୁ ସାମାନ୍ୟ ଭୁଲ ବୁଝାମଣାରୁ ଯାହା ଘଟିଛି ତାହା ଉଭୟ ପକ୍ଷ ତରଫରୁ ବସି ସମାଧାନ ହୋଇଯାଇଛି ବୋଲି ପ୍ରକାଶ କରିଥିଲେ।
