ନିଖିଳ ଉତ୍କଳ ବାରିକ ସମିତି ରିଆମାଳ ମଣ୍ଡଳର ବାର୍ଷିକ ଉତ୍ସବ ଧୂମଧାମରେ ଅନୁଷ୍ଠିତ
ରିଆମାଳ : ନିଖିଳ ଉତ୍କଳ ବାରିକ ସମିତି ରିଆମାଳ ମଣ୍ଡଳର ବାର୍ଷିକ ଉତ୍ସବ ଆଜି ଭକ୍ତିମୟ ପରିବେଶ ଓ ସାମାଜିକ ଏକତାର ବାର୍ତ୍ତା ସହ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ବାରିକ ସମାଜର ରିଆମାଳ ବ୍ଲକ ସଭାପତି ଉତ୍ତମ କୁମାର ବସନ୍ତରାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରିଆମାଳ ବ୍ଲକର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟକ ବାରିକ ସମାଜର ସଦସ୍ୟମାନେ ଯୋଗଦେଇ ସମାଜର ଏକତା, ଭାଇଚାରା ଓ ସଂଗଠନର ଶକ୍ତିକୁ ପ୍ରଦର୍ଶନ କରିଥିଲେ।
କାର୍ଯ୍ୟକ୍ରମରେ ବାରିକ ସମାଜର ଜିଲ୍ଲା ସଭାପତି ପ୍ରସନ୍ନ କୁମାର ବସନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜର ଉନ୍ନତି, ଶିକ୍ଷାର ପ୍ରସାର ଓ ସାମାଜିକ ଏକତାର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ସମାଜର ଯୁବପିଢ଼ୀ ଶିକ୍ଷିତ ଓ ସଚେତନ ହେଲେ ସମାଜ ଆହୁରି ସୁଦୃଢ଼ ହେବ।
ଏହି ଅବସରରେ ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ପ୍ରମୋଦ କୁମାର ବାରିକ, ଜିଲ୍ଲା ଉପସଭାପତି ଅଶୋକ କୁମାର ବାରିକ, ଯୁବ ସାମ୍ବାଦିକ ନିଲେଶ ଅନିରୁଦ୍ଧ ନାୟକ, ଜିଲ୍ଲା ପୂର୍ବତନ ସଭାପତି ଲୋକନାଥ ବେହେରା, ବାରକୋଟ ବ୍ଲକ ବାରିକ ସମାଜର ସଭାପତି ପଞ୍ଚାନନ ବସନ୍ତରା ଓ ରିଆମାଳ ବ୍ଲକ ସମ୍ପାଦକ ମଦନମୋହନ ବେହେରା ପ୍ରମୁଖ ମଞ୍ଚାସୀନ ରହି ସମାଜର ସଂଗଠନକୁ ଆହୁରି ମଜବୁତ କରିବା ଓ ସାମାଜିକ ସଚେତନତା ବୃଦ୍ଧି ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।
ଭକ୍ତବନ୍ଧୁ ବସନ୍ତରା କାର୍ଯ୍ୟକ୍ରମକୁ ସୁନ୍ଦର ଓ ସୁସଂଘଟିତ ଭାବେ ପରିଚାଳନା କରିଥିବା ବେଳେ, ସର୍ବପ୍ରଥମେ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ପୂଜାର୍ଚ୍ଚନା କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ସମାଜର ଉନ୍ନତି, ଯୁବପିଢ଼ୀଙ୍କ ଭୂମିକା, ସାମାଜିକ ସଚେତନତା ଓ କୁସଂସ୍କାର ବିରୋଧରେ ଏକତ୍ରିତ ଭାବେ କାର୍ଯ୍ୟ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା।
ବିଶେଷ କରି ରିଆମାଳ ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ବାରିକ ସମାଜର ସଦସ୍ୟମାନେ ଉତ୍ସାହର ସହିତ ଏହି ଉତ୍ସବରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ। ସମାଜର ଏକତା ଓ ଭାଇଚାରାର ଜୀବନ୍ତ ପରିଚୟ ବହନ କରୁଥିବା ଏହି ବାର୍ଷିକ ଉତ୍ସବ ସମସ୍ତଙ୍କ ମନରେ ନୂତନ ଉତ୍ସାହ ଓ ସାମାଜିକ ସଚେତନତାର ସନ୍ଦେଶ ସୃଷ୍ଟି କରିଥିଲା।
ଦେବଗଡ଼ରୁ ସୁରେଶଙ୍କ ରିପୋର୍ଟ
