ସ୍ଵାମୀ ସ୍ତ୍ରୀଙ୍କ ଘରୋଇ କଳହ ର କରୁଣ ପରିଣତି : ବିଷ ପିଇ ଆତ୍ମହତ୍ୟା କଲେ ମହିଳା
ସୋର,୨୬/୫(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ହେଉଛି ୭ ଜନ୍ମ ର ସମ୍ପର୍କ। କିନ୍ତୁ ବେଳେ ବେଳେ ଏମିତି କିଛି ଘଟଣା ଘଟେ ଯାହା ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା ସହ ଛାଡ଼ପତ୍ର ଏବଂ ଆତ୍ମହତ୍ୟା ପର୍ଯ୍ୟନ୍ତ କଥା ଯାଏ। ସୋରରେ ଘରୋଇ କଳହରୁ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ଅନୁସାରେ ସୋର ଥାନା କେଦାରପୁର ଗ୍ରାମର ଗଣେଶ ଜେନା ଓ ତାଙ୍କ ସ୍ତ୍ରୀ ସବିତା ଜେନାଙ୍କ ମଧ୍ୟରେ ଦିର୍ଘଦିନ ଧରି ପାରିବାରିକ କଳହ ଲାଗିରହିଥିଲା। ଗତକାଲି ରାତିରେ କୌଣସି କାରଣରୁ ଉଭୟଙ୍କ ବଚସା ହୋଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ସବିତା ବିଷ ପିଇଗୁରୁତର ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଶୋଚନୀୟ ଥିବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୁଲିସ ୩୫/୨୬ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।.
