ରଘୁନାଥପୁର ବ୍ଲକ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ମଶାଲ ଶୋଭାଯାତ୍ରା।
ରଘୁନାଥପୁର(ନି.ପ୍ର): କେନ୍ଦ୍ର ସରକାର ସଂସଦରେ ପାରିତ କରିଥିବା ୩୩ ପ୍ରତିଶତ ମହିଳା ସଂରକ୍ଷଣ ଆଇନ ଲାଗୁ ଓ ନିଟ ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରଘୁନାଥପୁର ବ୍ଲକ କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଓ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡାଙ୍କ ନେତୃତ୍ୱରେ ସନ୍ଧ୍ୟାରେ ପାଞ୍ଚଶହରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷଙ୍କୁ ନେଇ ଜଇପୁର ଜଗନ୍ନାଥ ମନ୍ଦିର ଠାରୁ ଶୋଭାଯାତ୍ରା ବାହାରିଥିଲା ଓ ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଦେବପ୍ରସାଦ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ଦଳୀୟ କର୍ମୀମାନେ ହାତରେ ମଶାଲ ଧରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇ ଜଇପୁର ମହାଦେବ ମନ୍ଦିର ସ୍ଥିତ ସମାବେଶ ସ୍ଥଳରେ ପହଞ୍ଚିଥିଲେ। ସେଠାରେ ବ୍ଲକ କଂଗ୍ରେସ ସଭାପତି ପଣ୍ଡାଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ନାୟକ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ଦୁର୍ନୀତି ମୂଳକ ଅଭିଯୋଗ ଆଣି କର୍ମୀ ମାନଙ୍କୁ ଖୋରାକ ଯୋଗାଇଥିଲେ। ଏହାଛଡା ନିଟ ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ। ଅନ୍ୟତମ ଅତିଥି ଭାବେ ପର୍ଯ୍ୟବେକ୍ଷକ ଜିତୁ ନାରାୟଣ ସାହୁ, ସରପଞ୍ଚ କାଳନ୍ଦୀ ମହାନ୍ତି , ସାରଦା ଜେନା, ସୁବାଷ ରାଟସିଂ,ବସନ୍ତ ଦାଶ, ବସନ୍ତ ନାୟକ, ବବିତା ସ୍ବାଇଁ ଓ ସ୍ଵପ୍ନାରାଣୀ ରାଉତ ପ୍ରମୁଖ ଶାସନାଧୀନ କେନ୍ଦ୍ର ସରକାରଙ୍କ ଅନ୍ୟାୟ ଅନିତି ବିରୁଦ୍ଧରେ ବିଶୋଦଗାର କରିଥିଲେ।ଏଥିରେ ନାରାୟଣ ନାୟକ,ବିଶ୍ୱଜିତ ମହାନ୍ତି, ବିପିନ ସିଂହ, ତ୍ରିଲୋଚନ ରାଉତ, ବିଜୟ ଦାଶ ଓ ସନ୍ଧ୍ୟାରାଣୀ ଖଟୁଆ ପ୍ରମୁଖ ସହଯୋଗ କରିଥିଲେ।
