ବଡ ବଜାର ବ୍ୟବସାୟୀଙ୍କ ମୃତ୍ୟୁରେ ବଜାର ବନ୍ଦ।
ରଘୁନାଥପୁର(ନି.ପ୍ର): ରଘୁନାଥପୁର ବଡ଼ ବଜାରର ବହୁ ପୁରୁଣା ବ୍ୟବସାୟୀ ଶୁଭ୍ରାଂଶୁ ଆଚାର୍ଯ୍ୟ(୫୦)ଙ୍କ ମୃତ୍ୟୁର ଶୋକରେ ବଜାର କମିଟି ପକ୍ଷରୁ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଏକ ସଡ଼କ ଦୁର୍ଘଟଣାରେ ଶୁଭ୍ରାଂଶୁ ଗୁରୁତର ଆହତ ହୋଇ ଗତ କିଛି ମାସ ଧରି କୋମା ଅବସ୍ଥାରେ ରହିଥିଲେ। ଗତକାଲି ରାତିରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରଘୁନାଥପୁର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଜଣେ ଅତ୍ୟନ୍ତ ସରଳ, ମିଷ୍ଟଭାଷୀ, ପରୋପକାରୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟୁରେ ବାଗସାହି ଦୁର୍ଗା ପୂଜା କମିଟି, ଗ୍ରାମବାସୀ ଓ ରଘୁନାଥପୁର ବଡ଼ ବଜାର ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବା ସହିତ ତାଙ୍କର ସ୍ମୃତିରେ ବଡ ବଜାର ର ସମସ୍ତ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।
