ପଦ୍ମଶ୍ରୀ ଡ.ଜିତେନ୍ଦ୍ର ହରିପାଲଙ୍କ ନବବିବାହିତା ନାତୁଣୀ ଓ ଆମେରିକୀୟ ଜ୍ୱାଇଁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ
ସମ୍ବଲପୁର
ପ ଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ତରଫରୁ ଅନ୍ତର୍ଜାତୀୟ ବିବାହ କରିଥିବା ପଦ୍ମଶ୍ରୀ ଡ.ଜିତେନ୍ଦ୍ର ହରିପାଲଙ୍କ ନାତୁଣୀ ପାୟଲ ହରିପାଲଙ୍କ ସ୍ବାମୀ ଆମେରିକାର କାୟଲଙ୍କୁ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଅଧ୍ୟକ୍ଷ ନିହାଲ ସିଂ ଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶନିବାର ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହରେ ହରିପାଲ ପରିବାରର ସଦସ୍ୟ ଅଜା ପଦ୍ମଶ୍ରୀ ଡ.ଜିତେନ୍ଦ୍ର ହରିପାଲ, ବାପା ପ୍ରଭାତ ହରିପାଲ, ମାତା ମିନୁ ହରିପାଲ, ପାୟଲଙ୍କ ଭଉଣୀ ଘୁଙ୍ଗୁରୁ ଓ ଗୁଞ୍ଜନ ଉପସ୍ଥିତ ଥିଲେ। ଏଥିରେ ଉପାଧ୍ୟକ୍ଷ ଡ. ସୁଶିଲ କୁମାର ବେହେରା, ଆଇନଜୀବୀ ଜୟକୃଷ୍ଣ ବେହେରା, ସୁରେଶ୍ଵର ଭୋଇ, ଝସକେତନ ଦୀପ, ଉପମହାସଚିବ ଯମୁନା ଶିକା, ଶିବପ୍ରୀୟା ସାହୁ, ପଦ୍ମିନୀ ଭୋଇ, ଶୁନୟନା ନାୟକ, ପିଙ୍କି ଲୁହା, ଭଗବାନ ନିଆଲ ପ୍ରମୁଖ ଯୋଗଦାନ କରି ନବ ବିବାହିତ ଦମ୍ପତିଙ୍କୁ ଶୁଭାଶିଷ ପ୍ରଦାନ କରି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସମ୍ବର୍ଦ୍ଧନା ବକ୍ତବ୍ୟରେ ବକ୍ତାମାନେ ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ ଗଣ୍ଡା ବଜା ସମ୍ବଲପୁରୀ ଗୀତ ରଙ୍ଗବତୀକୁ ଦେଶ ବିଦେଶରେ ପହଞ୍ଚେଇବାରେ ଅନ୍ୟତମ ହେଇଥିବା ସହ ଅନ୍ୟ ଜଣେ ଗଣ୍ଡା ସମ୍ପ୍ରଦାୟର ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ ଅର୍ନ୍ତରାଷ୍ଟ୍ରୀୟ ବିବାହ କରିଥିବା ବେଳେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ନାତୁଣୀ ପାୟଲ ଗଣ୍ଡା ସମ୍ପ୍ରଦାୟର ଆମେରିକାର ବରପୁତ୍ରକୁ ବାହା ହୋଇ ଗୋଟିଏ ଦେଶ ସହ ଅନ୍ୟ ଏକ ଦେଶ ମଧ୍ୟରେ ବନ୍ଧୁତାର ସେତୁ ସ୍ଥାପନ କରିଛନ୍ତି। ଯାହାକି ଭାରତୀୟ ସମ୍ବିଧାନ ପ୍ରଣତା ଡ.ବିଆରସ ଆମ୍ବେଦକରଙ୍କ ସାମ୍ବିଧାନିକ ବିଚାର ବ୍ୟବସ୍ଥାକୁ ଦର୍ଶାଏ। ଏପରି ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରି ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ଗର୍ବ ଅନୁଭବ କରେ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ସଭା ଶେଷରେ ମହାସଚିବ ମୋମିନା ଖାତୁନ ଧନ୍ୟବାଦ ଅର୍ପଣ କରିଥିଲେ।
