ଦେବୀ ମା ତାରିଣୀଙ୍କ ପୋଖରୀ ଜମି ବିବାଦ : ଗ୍ରାମବାସୀଙ୍କ ବିରୋଧ ପରେ ୮ ଜଣଙ୍କୁ ଉଠାଇ ଆଣିଲା କୁଣ୍ଡେଇଗୋଳା ପୋଲିସ
ରିଆମାଳ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଡେଇଗୋଳା ଥାନା ଅଧୀନ ଗରିଆପାଲି ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ପୋଖରୀ ଜମିକୁ କେନ୍ଦ୍ର କରି ଦିନକୁ ଦିନ ବିବାଦ ଗଭୀର ରୂପ ନେଉଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗ୍ରାମର ସ୍ୱର୍ଗତ ଦୟାନିଧି ବେହେରାଙ୍କ ପୁଅ ନାରାୟଣ ବେହେରା, ଲୋକନାଥ ବେହେରା, ହରିହର ବେହେରା ଓ ଶଙ୍କର୍ଷଣ ବେହେରା ହାଇଟେକ୍ ସର୍ଭେ ସମୟରେ ଚଞ୍ଚକତା କରି ମନ୍ଦିରର ପୋଖରୀ ଜମିକୁ ନିଜ ନାମରେ ରେକର୍ଡ କରାଇ ନେଇଥିବା ଅଭିଯୋଗ ହୋଇଛି।
ଗତ ମେ ୧୯ ତାରିଖରେ ଉକ୍ତ ପୋଖରୀ ଜମିରେ ଖୁଣ୍ଟ ପୋତି ସୀମା ନିର୍ଦ୍ଧାରଣ କରାଯାଇଥିବା ବେଳେ ପରେ ଜେସିବି ମେସିନ ସାହାଯ୍ୟରେ ମାଟି ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାକୁ ନେଇ ଗ୍ରାମବାସୀମାନେ ତୀବ୍ର ବିରୋଧ କରିଥିବାରୁ ଗ୍ରାମରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା।
ତେବେ ଗ୍ରାମବାସୀଙ୍କ ଅଭିଯୋଗର ତଦନ୍ତ କରି ସହଯୋଗ କରିବା ପରିବର୍ତ୍ତେ କୁଣ୍ଡେଇଗୋଳା ପୋଲିସ ଗରିଆପାଲି ଗ୍ରାମର ୮ ଜଣଙ୍କୁ ଉଠାଇ ଆଣିଥିବା ଅଭିଯୋଗ ହୋଇଛି। ସେମାନେ ହେଲେ ରଞ୍ଜିତ ଗରିଆ, ଯଦୁମଣି ଗରିଆ, ନବ ରାଉତ, ଜଗ ରାଉତ, କଳ୍ପନା ମହାପାତ୍ର, ହେମନ୍ତ ଗରିଆ, ଜିତୁ ପୋଢ ଓ ଆରତୀ ଗରିଆ। ପୋଲିସର ଏହି ପଦକ୍ଷେପକୁ ଗ୍ରାମବାସୀମାନେ ଏକପକ୍ଷୀୟ କାର୍ଯ୍ୟାନୁଷ୍ଠାନ ବୋଲି ଅଭିଯୋଗ କରିଛନ୍ତି।
ଏହି ଘଟଣା ପରେ ଉତ୍ତେଜନା ଆହୁରି ବଢ଼ିଥିବା ବେଳେ, ଥାନାକୁ ନିଆଯାଇଥିବା ଗ୍ରାମବାସୀଙ୍କ ସମର୍ଥନରେ ବହୁ ସଂଖ୍ୟକ ଲୋକ କୁଣ୍ଡେଇଗୋଳା ଥାନା ସମ୍ମୁଖ ଓ ପରିସରରେ ଦୀର୍ଘ ସମୟ ଧରି ଧାରଣାରେ ବସି ରହିଥିଲେ। ପ୍ରଚଣ୍ଡ ଗ୍ରୀଷ୍ମ ଖରା ସତ୍ତ୍ୱେ ମଧ୍ୟ ଗ୍ରାମବାସୀମାନେ ନିଜ ଦାବିରେ ଅଟଳ ରହିଥିଲେ।
ପରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୁଝାସୁଝା କରାଯାଇଥିବା ବେଳେ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଗ୍ରାମବାସୀମାନଙ୍କୁ ଘରକୁ ଫେରିଯିବାକୁ ଅନୁରୋଧ କରାଯାଇଥିଲା। ଦୀର୍ଘ ସମୟର ଆଲୋଚନା ପରେ ଗ୍ରାମବାସୀମାନେ ଧାରଣାରୁ ଉଠି ଘରକୁ ଫେରିଥିବା ସୂଚନା ମିଳିଛି।
ଏହି ଘଟଣାକୁ ନେଇ ପୂର୍ବରୁ ଗ୍ରାମବାସୀମାନେ ଦେବଗଡ଼ ଜିଲ୍ଲାପାଳ, ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ, ରାଜସ୍ୱ ନିରୀକ୍ଷକ, ତହସିଲ କାର୍ଯ୍ୟାଳୟ ଓ କୁଣ୍ଡେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି।
ଗ୍ରାମବାସୀମାନେ ମା ତାରିଣୀଙ୍କ ପୋଖରୀ ଜମିକୁ ସୁରକ୍ଷା କରିବା ସହ ଘଟଣାର ନିଷ୍ପକ୍ଷ ତଦନ୍ତ କରି ପ୍ରକୃତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନଙ୍କୁ ଦାବି କରିଛନ୍ତି। ଦେବଗଡ଼ ରୁ ସୁରେଶ ରିପୋର୍ଟ
