*ପାର୍ବତୀଗିରି ମହିଳା ମହାବିଦ୍ୟାଳୟ, ବରଗଡ଼ର +୨ ଫଳାଫଳରେ ଉଲ୍ଲେଖନୀୟ ସଫଳତା*
ବରଗଡ : ୨୧.୦୫.(ନି ପ୍ର ) ଚଳିତ ବର୍ଷର ସି. ଏଚ୍. ଏସ୍.ସି, ଓଡ଼ିଶା ଦ୍ୱାରା ପ୍ରକାଶିତ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳାଫଳରେ ପାର୍ବତୀଗିରି ମହିଳା ମହାବିଦ୍ୟାଳୟ, ବରଗଡ଼ ଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ମହାବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି। ଚଳିତ ବର୍ଷ ଓଡ଼ିଶାରେ କଳା, ବିଜ୍ଞାନ ଓ ବାଣିଜ୍ୟ ତିନୋଟି ବିଭାଗର ଫଳାଫଳ ଏକାସାଥିରେ ପ୍ରକାଶ ପାଇଛି। କଳା ବିଭାଗରେ ଶ୍ରାବଣୀ ଦୀପ ୫୫୫ ନମ୍ବର ରଖି ୯୨.୫% ସହ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ମୋନିକା ସାହୁ ୫୪୬ ନମ୍ବର ସହ ଦ୍ୱିତୀୟ ଏବଂ ମଧୁସ୍ମିତା ପଧାନ ୫୪୨ ନମ୍ବର ସହ ତୃତୀୟ ସ୍ଥାନ ହାସଲ କରିଛନ୍ତି। କଳା ବିଭାଗରୁ ମୋଟ ୨୯୭ ଜଣ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧୭୪ ଜଣ ପ୍ରଥମ ଶ୍ରେଣୀ, ୫୫ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୪୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ବିଜ୍ଞାନ ବିଭାଗରେ ସିଲ୍କିରାଣୀ ସାହୁ ୫୫୬ ନମ୍ବର ରଖି ୯୨.୬୬% ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପ୍ରଜ୍ଞାଶ୍ରୀ ଦାଶ ୫୩୫ ନମ୍ବର ସହ ଦ୍ୱିତୀୟ ଓ ତ୍ରିଶା ସାହୁ ୫୧୭ ନମ୍ବର ସହ ତୃତୀୟ ସ୍ଥାନ ହାସଲ କରିଛନ୍ତି। ବିଜ୍ଞାନ ବିଭାଗରେ ମୋଟ ୯୬ ଜଣ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨୯ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ବାଣିଜ୍ୟ ବିଭାଗରେ ଶ୍ବେତାରାଣୀ ସୁସାରୀ ୫୭୨ ନମ୍ବର ରଖି ୯୫.୩୩% ସହ ପ୍ରଥମ ସ୍ଥାନ ଅଧିକାର କରି ସମସ୍ତ ବିଭାଗ ମଧ୍ୟରେ ସର୍ବାଧିକ ନମ୍ବର ହାସଲ କରିଛନ୍ତି। ସାହିନ ବାନୋ ୫୨୧ ନମ୍ବର ସହ ଦ୍ୱିତୀୟ ଏବଂ ସିଦ୍ଧେଶ୍ୱରୀ ଦାସ ୫୦୩ ନମ୍ବର ସହ ତୃତୀୟ ସ୍ଥାନ ହାସଲ କରିଛନ୍ତି। ବାଣିଜ୍ୟ ବିଭାଗରୁ ମୋଟ ୫୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨୩ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ମହାବିଦ୍ୟାଳୟର ଏହି ସଫଳତା ପାଇଁ ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡା ସମସ୍ତ କୃତୀ ଛାତ୍ରୀ, ଅଭିଭାବକ ଓ ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନିୟମିତ ପାଠଦାନ, ଶୃଙ୍ଖଳାବଦ୍ଧ ଶିକ୍ଷା ପରିବେଶ ଏବଂ ଛାତ୍ରୀମାନଙ୍କର ଅଧ୍ୟବସାୟ ଏହି ସଫଳତାର ମୂଳ ଚାବିକାଠି ବୋଲି ସେ ମତ ପ୍ରକାଶ କରିଛନ୍ତି ।
