ଦେବଗଡ଼ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଦେବଗଡ଼:
ଆଜି ରିଆମାଳ ବ୍ଲକ ଅନ୍ତର୍ଗତ ତାବଡା ଗ୍ରାମପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଦେବଗଡ଼ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରିଥିଲେ।
ଏହି ଶିବିରରେ ମୋଟ ୬୭ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ, ସେଥିରୁ ୫୦ଟି ବ୍ୟକ୍ତିଗତ ଓ ୧୭ଟି ସାମୂହିକ ଅଭିଯୋଗ ଥିବା ଜଣାପଡ଼ିଛି। ଶିକ୍ଷକ ନିଯୁକ୍ତି, ସୁଭଦ୍ରା ଯୋଜନାର ଅର୍ଥ ପ୍ରଦାନ, ଘରବାରି ପଟ୍ଟା, ବାର୍ଦ୍ଧକ୍ୟ ଭତ୍ତା ଏବଂ ବିଦ୍ୟୁତ ସଂଯୋଗର ଉନ୍ନତିକରଣ ସମ୍ବନ୍ଧୀୟ ଅଭିଯୋଗ ପ୍ରମୁଖ ଭାବେ ଆସିଥିଲା।
ଅଭିଯୋଗଗୁଡ଼ିକ ଶୁଣିବା ପରେ ଜିଲ୍ଲାପାଳ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତତ୍କାଳ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଶିବିରରେ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ୍ ଚପରଦାର, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଏସିଏଫ୍ ସ୍ୱାଧୀନତା ସାହାଣୀ, ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର, ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ କୁମାର ସିଂ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ସହ ଜିଲ୍ଲାର ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
